ନୂଆଦିଲ୍ଲୀ: ଗତକାଲି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରାଯାଇଛି। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ତେବେ ଏହି ସ୍କିମ ଘୋଷଣା ପରେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ଦ୍ବନ୍ଦ୍ବ ଥିବା ଦେଖିବାକୁ ମିଳିଛି। ଏହା ସହ ବିଭିନ୍ନ ରାଜ୍ୟରେ ଏହାକୁ ବିରୋଧ କରି ହିଂସା ଆରମ୍ଭ ହୋଇଛି। ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ କେନ୍ଦ୍ର ସରକାର ୭ଟି ପଏଣ୍ଟରେ ‘ଅଗ୍ନିପଥ’ ସ୍କିମ ବିଷୟରେ ବିସ୍ତୃତ ଭାବେ ବୁଝାଇଛନ୍ତି।
ଭ୍ରମ: ଅଗ୍ନିବୀରଙ୍କ ଭବିଷ୍ୟତ ସୁରକ୍ଷିତ ନୁହେଁ?
ତଥ୍ୟ: ଯେଉଁ ଅଗ୍ନିବୀରମାନେ ୪ବର୍ଷ ପରେ ଉଦ୍ୟୋଗୀ ହେବାକୁ ଚାହିଁବେ, ସେମାନଙ୍କ ପାଇଁ ବ୍ୟାଙ୍କରୁ ଆର୍ଥିକ ପ୍ୟାକେଜ୍ ଏବଂ ଋଣର ଏକ ଯୋଜନା ଅଛି। ଯେଉଁମାନେ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି ସେମାନଙ୍କୁ ଦ୍ୱାଦଶ ଶ୍ରେଣୀ ସହିତ ସମାନ ପ୍ରମାଣପତ୍ର ଦିଆଯିବ ଏବଂ ପରବର୍ତ୍ତୀ ଅଧ୍ୟୟନ ପାଇଁ ଏକ ବ୍ରିଜ୍ ପାଠ୍ୟକ୍ରମ ରହିବ। ଯେଉଁମାନେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସିଏପିଏଫଗୁଡ଼ିକରେ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ।
ଭ୍ରମ: ଅଗ୍ନିପଥ ସ୍କିମ କାରଣରୁ ଅଗ୍ନିବୀରଙ୍କ ପାଇଁ କମ୍ ସୁଯୋଗ ରହିବ କି?
ତଥ୍ୟ: ଏହା ସମ୍ପୂର୍ଣ୍ଣ ଭୁଲ। ଅଗ୍ନିବୀରଙ୍କ ପାଇଁ ସେନାରେ ଚାକିରି କରିବାର ସୁଯୋଗରେ ବୃଦ୍ଧି ପାଇବ। ଆଗାମୀ ବର୍ଷଗୁଡିକରେ, ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ବର୍ତ୍ତମାନର ସ୍ତରରୁ ତିନି ଗୁଣ ହେବ।
ଭ୍ରମ: ରେଜିମେଣ୍ଟ ଭାଇଚାରା ପ୍ରଭାବିତ ହେବ କି?
ତଥ୍ୟ: ରେଜିମେଣ୍ଟ ସେଟଅପରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ଖରାପ ପ୍ରଭାବ ପଡ଼ିବା ପରିବର୍ତ୍ତେ ରେଜିମେଣ୍ଟ ଅଧିକ ଶକ୍ତିଶାଳୀ ହେବ।
ଭ୍ରମ: ଏହା ସେନାର ତିନି ପକ୍ଷର ସାମର୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ କି?
ତଥ୍ୟ: ଅଧିକାଂଶ ଦେଶରେ ଏପରି ଏକ ସଂକ୍ଷିପ୍ତ ବ୍ୟବସ୍ଥା ଅଛି। ତେଣୁ ଭାରତରେ ଏହା ନୂଆଁ ହୋଇଥିଲେ ବି ବିଶ୍ବ ପାଇଁ ନୂଆ ନୁହେଁ। ଅନ୍ୟ ଦେଶରେ ଏହି ବ୍ୟବସ୍ଥା ସଫଳ ହୋଇଥିବାରୁ ଏନେଇ ପରୀକ୍ଷା କରିବରେ ଆବଶ୍ୟକତା ନାହିଁଁ। ୪ର୍ବ ପରେ କାର୍ଯ୍ୟଦକ୍ଷତା ଦେଖିବା ପରେ ହିଁ ସେମାନଙ୍କୁ ସେନାରେ ପୁଣି ଥରେ ସାମିଲ ହେବାର ସୁଯୋଗ ମିଳିବ। ଏହା ସେନାର ତିନି ପକ୍ଷର ସାମର୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ।
ଭ୍ରମ: ୨୧ ବର୍ଷ ବୟସ୍କମାନେ ସେନା ପାଇଁ ଅପରିପକ୍ୱ ଏବଂ ଅବିଶ୍ୱସନୀୟ କି?
ତଥ୍ୟ: ସାରା ବିଶ୍ୱରେ ସୈନ୍ୟବାହିନୀ ଯୁବକମାନଙ୍କ ଉପରେ ନିର୍ଭର କରନ୍ତି। ୨୧ ବର୍ଷ ବୟସ୍କମାନେ ସେନାକୁ ଆସିଲେ ସେନା ଅଧିକ ଶକ୍ତିଶାଳି ହେବ।
ଭ୍ରମ: ଅଗ୍ନିବୀର ସମାଜ ପାଇଁ ବିପଦ ହେବେ ଏବଂ ଆତଙ୍କବାଦୀଙ୍କ ସହ ହାତ ମିଶାଇବେ କି?
ତଥ୍ୟ: ଏହା ଭାରତୀୟ ସେନାର ମୂଲ୍ୟବୋଧ ଏବଂ ଆଦର୍ଶ ପ୍ରତି ଅପମାନ। ଚାରି ବର୍ଷ ଧରି ୟୁନିଫର୍ମ ପିନ୍ଧୁଥିବା ଯୁବକମାନେ ସାରା ଜୀବନ ଦେଶ ପାଇଁ ପ୍ରତିବଦ୍ଧ ରହିବେ। ଆଜି ବି ଦେଶରେ ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ସେନାରୁ ଅବସର ନେଇଛନ୍ତି, ଯେଉଁମାନଙ୍କର ସମସ୍ତ ଦକ୍ଷତା ଅଛି କିନ୍ତୁ ସେମାନେ ଦେଶ ବିରୋଧୀ ବାହିନୀରେ ଯୋଗ ଦେଉ ନାହାଁନ୍ତି।
ଭ୍ରମ: ପୂର୍ବତନ ସେନା ଅଧିକାରୀଙ୍କ ସହ ଏହି ସ୍କିମ ବିଷୟରେ ଆଲୋଚନା ହୋଇଛି କି?
ତଥ୍ୟ: ଗତ ଦୁଇ ବର୍ଷ ଧରି ପୂର୍ବତନ ସେନା ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବକୁ ସାମରିକ ଅଧିକାରୀ ବିଭାଗରେ ସାମରିକ ଅଧିକାରୀମାନେ ପ୍ରସ୍ତୁତ କରିଥିଲେ, ଏହି ବିଭାଗ ନିଜେ ସରକାର ଗଠନ କରିଛନ୍ତି। ବହୁ ପୂର୍ବତନ ସେନା ଅଧିକାରୀ ଏହି ଯୋଜନାକୁ ଗ୍ରହଣ କରିଛନ୍ତି ଏବଂ ପ୍ରଶଂସା କରିଛନ୍ତି।