ଭଲ୍‌ବ ଏନ୍‌-୯୫ ମାସ୍କ ବ୍ୟବହାର ନେଇ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ନିଶ୍ବାସପ୍ରଶ୍ବାସ ପାଇଁ ଭଲ୍‌ବ(ଅଳିନ୍ଦ) ରହିଥିବା ଉଚ୍ଚମାନର ଏନ୍‌-୯୫ ପିନ୍ଧିବା ଉପରେ କେନ୍ଦ୍ର ସରକାର ସତର୍କତା ଜାରି କରିଛନ୍ତି। ଏପରି ମାସ୍କ ପିନ୍ଧିବା ଦ୍ବାରା କରୋନା ଭୂତାଣୁର ମୁଖମଣ୍ଡଳ ସଂକ୍ରମଣକୁ ଦୂରେଇ ହେବନାହିଁ। ଏଥି ସହିତ କଣ୍ଟେନ୍‌ମେଣ୍ଟ୍‌ ପାଇଁ ନିଆଯାଉଥିବା ପଦକ୍ଷେପ ପ୍ରତି ଏହା କ୍ଷତିକାରକ ବୋଲି କୁହାଯାଇଛି। ତେଣୁ ଏହି ମର୍ମରେ କେନ୍ଦ୍ର ସରକାର କେହି ଏପରି ମାସ୍କ ନପିନ୍ଧିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ସ୍ବାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ରାଜୀବ ଗର୍ଗ ପ୍ରତି ରାଜ୍ୟର ସ୍ବାସ୍ଥ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଅନେକ ସ୍ଥଳରେ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ସାଧାରଣ ଲୋକେ ଏପରି ବିଶେଷ କରି ଅଳିନ୍ଦଯୁକ୍ତ ଏନ୍‌-୯୫ ମାସ୍କର ଅଯଥା ବ୍ୟବହାର କରୁଛନ୍ତି। ମାତ୍ର ମୁହଁରୁ କରୋନା ଭୂତାଣୁ ଖସି ପଳାଇବା ଦିଗରେ ଉକ୍ତ ଅଳିନ୍ଦଯୁକ୍ତ ମାସ୍କ ପ୍ରତିରୋଧ କରିପାରେନାହିଁ। ତେଣୁ ଏହା ପରୋକ୍ଷରେ ସଂକ୍ରମଣକୁ ବଢ଼ାଇବ ବୋଲି ଶ୍ରୀ ଗର୍ଗ କହିଛନ୍ତି। ଅପରପକ୍ଷେ, ତାହା ବଦଳରେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସୁପାରିସ କରିଥିବା ଘରତିଆରି ତିନି ପରସ୍ତବିଶିଷ୍ଟ ନାକ ଓ ପାଟି ଘୋଡ଼ାଇଲା ପରି ମାସ୍କ ପିନ୍ଧିବାକୁ ସେ ପରାମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର