କୋଲକାତା: ଏଣିକି କୋଲକାତାରେ ରାସ୍ତା ପାର୍ ହେବା ସମୟରେ ଆଉ ଫୋନ୍ ବ୍ୟବହାର କରିହେବ ନାହିଁ। କାନରେ ଇୟର୍ ଫୋନ୍ କିମ୍ବା ହାତରେ ଫୋନ୍ ଧରି ଫୋନ୍କୁ ଚାହିଁବା ନେଇ ବି ଲଗା ଯାଇଛି କଟକଣା। ଏଭଳି ଅବସ୍ଥାରେ ଯାଉଥିବା ପଥଚାରୀଙ୍କ ଫୋନ୍ ପୁଲିସ ବାଜ୍ୟାପ୍ତ କରିନେବ। ଫୋନ୍ ବ୍ୟବହାର ହେତୁ ବହୁ ଚାଲି ଚାଲି ଯାଉଥିବା ପଥଚାରୀ ଦୁର୍ଘଟଣାର ଶିକାର ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୩୧ ପ୍ରତିଶତ ପଥଚାରୀଙ୍କର ଫୋନ୍ ବ୍ୟବହାର ହେତୁ ଦୁର୍ଘଟଣା ହେଉଛି ବୋଲି ରିପୋର୍ଟ ରହିିଛି।
ଏ ସଂପର୍କରେ କୋଲକାତାର ଟ୍ରାଫିକ୍ ପୁଲିସ୍(ଡିସି) ସୁମିତ୍ କୁମାର କହିଛନ୍ତି, ‘ଯଦି ଜଣେ ବ୍ୟକ୍ତି ଇୟର୍ଫୋନ୍, ବ୍ଲୁଟୁଥ୍ ଲଗାଇ କିମ୍ବା ଅନ୍ୟ କୌଣସି ଶୈଳୀରେ ଫୋନ୍ ବ୍ୟବହାର କରନ୍ତି ତାହା ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟର ଜୀବନକୁ ବି ଅନ୍ୟମନସ୍କତା ହେତୁ ବିପଦକୁ ଠେଲି ଦେଇଥାନ୍ତି। ତେଣୁ ତାଙ୍କ ଫୋନ୍ ବାଜ୍ୟାପ୍ତ କରାଯିବ।’
କୋଲକାତାର ନିୟ୍ୟୁ ମାର୍କେଟ ଅଞ୍ଚଳରେ ଅନେକ ଗୁଡ଼ିଏ ବାଣିଜ୍ୟିକ ପ୍ରତିଷ୍ଠାନ ରହିଛି। ସେହି ଅଞ୍ଚଳରେ ଅନେକ ପଥଚାରୀ ଯାତାୟାତ କରିଥାନ୍ତି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିୟମ ଲାଗୁ କରାଯାଇଛି। ଯେଉଁମାନେ ଏହାକୁ ଉଲଂଘନ କରିବେ କୋଲକାତା ପୁଲିସ୍ ସେମାନଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯିବେ। ଅତି କମ୍ରେ ଘଣ୍ଟାଟେ ପରେ ଫୋନ୍ ଦିଆଯିବ ବୋଲି ସୂଚନା ରହିଛି।