ଦ୍ବିତୀୟ ଥର ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନ ବୀରେନ ସିଂ

ନୂଆଦିଲ୍ଲୀ: ଦ୍ବିତୀୟ ଥର ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନ ବୀରେନ ସିଂ। ଲଗାତାର ଦ୍ୱିତୀୟ ଥର ପାଇଁ ସେ ମଣିପୁରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନ ବୀରେନ ସିଂ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଇମ୍ଫାଲର ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଏଲ ଗଣେଷନ ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ଏନ ବୀରେନ ସିଂଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ମଣିପୁର ରାଜ୍ୟ ସଭାପତି ମାୟୁମ ଶାରଦା ଦେବୀ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ତେବେ ଗତକାଲି ମଣିପୁରରେ ବିଜେପି ବିଧାୟକ ଦଳ ବୈଠକ ହୋଇଥିବା ବେଳେ ଏନ ବୀରେନ ସିଂ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଗତକାଲି ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ସମସ୍ତଙ୍କ ସହମତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଫଳାଫଳ ଆସିବା ପରେ ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ହେବା ସ୍ପଷ୍ଟ ହୋଇଯାଇଥିଲା। ମଣିପୁର ବିଧାନସଭାର ୬୦ ଆସନରୁ ବିଜେପି ମେଣ୍ଟ ୩୨ ଆସନରେ ବିଜୟୀ/ଆଗୁଆ ଥିବା ବେଳେ ଏନ୍‌ପିପି ୭, ଜେଡିୟୁ ୬, କଂଗ୍ରେସ ୫ ଏବଂ ଅନ୍ୟମାନେ ୧୦ଟି ଆସନରେ ବିଜୟୀ/ଆଗୁଆ ରହିଥିଲା। ୨୦୧୬ରେ କଂଗ୍ରେସ ଛାଡ଼ିଥିବା ଏନ୍‌ ବୀରେନ୍‌ ସିଂହ ବିଜେପିରେ ଯୋଗଦେବା ପରେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏଥର ମଧ୍ୟ ବିଜେପି ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା। ୨୦୧୭ରେ କଂଗ୍ରେସ ବିଜେପିଠାରୁ ଅଧିକ ଆସନ ହାସଲ କରିଥିଲେ ମଧ୍ୟ ବିଜେପି ଅନ୍ୟ ଦଳକୁ ମନାଇ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା। ମଣିପୁରରେ ଏଥର ଜେଡିୟୁ ଖାତା ଖୋଲିବା ଏବଂ ୭ ଆସନ ହାସଲ କରିବା ଦଳ ପାଇଁ ବହୁତ ବଡ଼ ସଫଳତା ବୋଲି କୁହାଯାଇଛି। ଏଥର ମଣିପୁର ନିର୍ବାଚନରେ ଏନ୍‌ପିପି ଏବଂ ଏନ୍‌ପିଏଫ୍‌ କୌଣସି ଦଳ ସହ ମେଣ୍ଟ ନକରି ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ତେବେ ମଣିପୁରରେ ଜେଡିୟୁ ତୃତୀୟ ବଡ଼ ଶକ୍ତି ଭାବେ ଉଭା ହୋଇଥିବାରୁ ଆଗକୁ ଏଠାରେ ରାଜନୈତିକ ସମୀକରଣ ବଦଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର