ନୂଆଦିଲ୍ଲୀ: ବରିଷ୍ଠ ରାଜନେତା ନାରାୟଣ ଦତ୍ତ ତିୱାରୀଙ୍କର ଗୁରୁବାର ପରଲୋକ ଘଟିଛି। ନିଜର ୯୩ ତମ ଜନ୍ମଦିବସରେ କଂଗ୍ରେସର ଏହି ବରିଷ୍ଠ ନେତା ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ ମସ୍ତିଷ୍କାଘାତର ଶିକାର ହେବାପରେ ତିୱାରୀଙ୍କୁ ଦିଲ୍ଲୀର ମ୍ୟାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ଚିକିତ୍ସାଧୀନ ଥିବାବେଳେ ଗତ ଗୁରୁବାର ତିୱାରୀଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇ ଯାଇଛି। ଏକମାତ୍ର ରାଜନେତା ଭାବେ ତିୱାରୀ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଉତ୍ତରପ୍ରଦେଶର ସେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଉତ୍ତରାଖଣ୍ଡର ତୃତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ତିୱାରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ତିୱାରୀଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ୧୯୬୩ରେ କଂଗ୍ରେସରେ ଯୋଗ ଦେଇଥିଲେ ତିୱାରୀ। ପ୍ରଥମେ ସେ ୧୯୭୬ ମସିହାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏହାପରେ ୧୯୮୪ ମସିହାରେ ଦ୍ବିତୀୟ ଥର ଏବଂ ୧୯୮୮ ମସିହାରେ ତୃତୀୟ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୨ ମସିହାରେ ତିୱାରୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଜନ୍ମଦିନରେ ଏନ୍ଡି ତିୱାରୀଙ୍କ ପରଲୋକ
/sambad/media/post_attachments/wp-content/uploads/2018/10/ndtiwari-kHGG-621x414@LiveMint-2d1c.jpg)