ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ହେଲେ ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ। ବିଜେପି ୪୦୦ ଆସନ ଜିତିବ ବୋଲି ଦାବି କରୁଥିବା ବେଳେ ଏପର୍ଯ୍ୟନ୍ତ ୩୦୦ମାର୍କ ଅତିକ୍ରମ କରିବା ବିଜେପି ପାଇଁ କାଠିକର ପାଠ ହୋଇଛି। ବିଜେପି ଏବେ ୨୯୫ ଆସନରେ ଆଗୁଆ ଥିବା ବେଳେ ମ୍ୟାଜିକ୍ ନମ୍ବର ୨୭୨ ଅତିକ୍ରମ କରିଛି । ହେଲେ 'ଏନ୍ ଫ୍ୟାକ୍ଟର' ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଢ଼ିବା କଷ୍ଟକର ହେବ ବୋଲି ଜଣାପଡ଼ିଛି।
'ଏନ୍ ଫ୍ୟାକ୍ଟର' ଅର୍ଥାତ୍ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ। ଯଦି ଏହି ୨ଟି ନେତା ଏନଡିଏଠାରୁ ନିଜକୁ ଅଲଗା କରିନିଅନ୍ତି, ତେବେ ବିଜେପି ପାଇଁ ସରକାର ଗଢ଼ିବା କଷ୍ଟକର ହେବ। ନୀତୀଶଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍) ୧୪ଟି ସିଟ୍ ଏବଂ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୬ଟି ସିଟରେ ଆଗୁଆ ରହିଛି।
ବର୍ତ୍ତମାନ, ଯଦି ନୀତୀଶ-ନାଇଡୁ ନିଜକୁ ଏନଡିଏଠାରୁ ଅଲଗା କରିନିଅନ୍ତି ତେବେ ୨୯୫ରୁ ୩୦ଟି ଆସନ ବିଜେପି ହାତରୁ ଚାଲିଯିବ। ଏଭଳି ହେଲେ ଏନଡିଏ ୨୬୫ଆସନକୁ ଖସି ଆସିବ। ସଂଖ୍ୟାଗରିଷ୍ଠତା ପାଇଁ ୨୭୨ ଆସନର ଆବଶ୍ୟକତା ଥିବାରୁ ନୀତୀଶ-ନାଇଡୁ ସହଯୋଗ ନକଲେ ମୋଦୀଙ୍କ ପାଇଁ ସରକାର ଗଢ଼ିବା କଷ୍ଟକର ହେବ।
କୁହାଯାଉଛି ଯେ, ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଉଭୟ ନୀତୀଶ-ନାଇଡୁଙ୍କୁ ଫୋନ କରିଥିବା ବେଳେ ନୀତୀଶ ଫୋନ ଉଠାଇ ନଥିଲେ। ଏମଧ୍ୟରେ ସେ ପୁଣି ଥରେ ଦଳ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଉଛି।