କମଳା ହ୍ୟାରିସ୍ ସିଓଲ ଛାଡ଼ିବାର କିଛି ଘଣ୍ଟା ମଧ୍ୟରେ ଉତ୍ତର-କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ : ଦକ୍ଷିଣ କୋରିଆ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ରାଜଧାନୀ ସିଓଲ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ହିଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ।

ସିଓଲର ସେନା ଗୁରୁବାର ଦିନ କହିଛି ଯେ ଉତ୍ତର କୋରିଆ ଏକ ଅଜ୍ଞାତ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଗତ ସପ୍ତାହକ ମଧ୍ୟରେ ଉତ୍ତରକୋରିଆର ଏହା ତୃତୀୟ ଲଞ୍ଚ ଥିଲା ଏବଂ ଏହା ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଦକ୍ଷିଣ କୋରିଆ ଛାଡିବାର କିଛି ଘଣ୍ଟା ପରେ ଘଟିଥିଲା ।

ସିଓଲର ଯୁଗ୍ମ କର୍ମଚାରୀଙ୍କ ମୁଖପାତ୍ରଙ୍କ ବୟାନ ଅନୁଯାୟୀ ଉତ୍ତର କୋରିଆ ଜାପାନ ସାଗରରେ ଏକ ଅଜ୍ଞାତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା  । କେବଳ ଦକ୍ଷିଣ କୋରିଆ ନୁହେଁ, ଜାପାନ କୋଷ୍ଟଗାର୍ଡ ମଧ୍ୟ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କଥାକୁ ସ୍ବୀକାର କରିଛି । ଏହି ବାଲିଷ୍ଟିକ  କ୍ଷେପଣାସ୍ତ୍ରଟି ଜାପାନ ସାଗରରେ ପଡ଼ିଥିଲା ।

କମଳା ହ୍ୟାରିସ ନିଜର ସିଓଲ ଗସ୍ତ କାଳରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମାରେ ଥିବା ଡିମିଲିଟାଇଜାଇଜଡ୍ ଜୋନ୍ (ଡିଏମଜେ) ପରିଦର୍ଶନ କରିଥିଲେ । ସେଠାରେ ଭାଷଣ ଦେଇ ହାରିସ୍ ଦାବି କରିଛନ୍ତି ଯେ ଦକ୍ଷିଣ କୋରିଆର ପ୍ରତିରକ୍ଷା ପ୍ରତି ଆମେରିକା ପ୍ରତିଶ୍ରୁତିବଦ୍ଧ ।

ଉତ୍ତର କୋରିଆ କବଳରୁ ଦକ୍ଷିଣ କୋରିଆକୁ ରକ୍ଷା କରିବା ପାଇଁ ୱାସିଂଟନ୍ ସେଠାରେ ପ୍ରାୟ ୨୮୫୦୦ ସୈନ୍ୟ ମୁତୟନ କରିଛି ।

 

ସମ୍ବନ୍ଧିତ ଖବର