ପେଙ୍ଗୟାଙ୍ଗ : ଉତ୍ତର କୋରିଆ ପୁଣି ଥରେ ସମଗ୍ର ବିଶ୍ବକୁ ପରମାଣୁ ଆକ୍ରମଣର ଭୟ ଦେଖାଇଛି । ଯଦି କୌଣସି ଶତ୍ରଦେଶ ଆକ୍ରମଣ କରେ କିମ୍ବା ଆକ୍ରମଣ କରିବାକୁ ଯାଉଛି ବୋଲି ଉତ୍ତରକୋରିଆର ହୃଦବୋଧ ହୁଏ ତେବେ ଆଗୁଆ ପରମାଣୁ ଆକ୍ରମଣ କରାଯିବ । ଏ ନେଇ ଉତ୍ତର କୋରିଆ ସରକାର ରୀତିମତ ଏକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଆଗୁଆ ପରମାଣୁ ଆକ୍ରମଣ ପାଇଁ ଉତ୍ତରକୋରିଆ ସେନାକୁ କ୍ଷମତା ପ୍ରଦାନ କରିଛି ।

Advertisment

ଆତ୍ମରକ୍ଷା ନିମନ୍ତେ ପରମାଣୁ ଆକ୍ରମଣ ପାଇଁ ପୂର୍ବରୁ ୨୦୧୩ରେ ଏକ ଆଇନ ପ୍ରଣୟନ ହୋଇଥିଲା । ନୂଆ ଆଇନ ପୁରୁଣା ଆଇନ ବଦଳରେ ଲାଗୁ ହେବ ।

ଏହି ଆଇନ ପ୍ରଣୟନ ପରେ ସମଗ୍ର ବିଶ୍ବରେ ପରମାଣୁ ଭୟାବହତାର ଆଶଙ୍କା ବଢିଯାଇଛି । କାରଣ ଯଦି କୌଣସି ଭ୍ରାନ୍ତ ଧାରଣାର ବଶବର୍ତ୍ତି ହୋଇ ଉତ୍ତରକୋରିଆ ଭାବେ ଯେ ତା ଉପରେ ଆକ୍ରମଣ ହେବାକୁ ଯାଉଛି, ତେବେ ସେ ପରମାଣୁ ବୋମା ପକାଇଦେବ । ଏହାର ଫଳ ପ୍ରଳୟଙ୍କରୀ ହୋଇପାରେ ।

ଗତକାଲି ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ କହିଥିଲେ ଯେ ତାଙ୍କ ଦେଶ ପ୍ରତି ବିପଦ ଦେଖାଦେଲେ ଆମେରିକା ଓ ଏସିଆରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କ ବିରୋଧରେ ମଧ୍ୟ ଆଣବିକ ଯୁଦ୍ଧ କରାଯିହ । ‌ ଆମେରିକା ସହ ମୁକାବିଲା ପାଇଁ ପରମାଣୁ ଅସ୍ତ୍ର ଛଡ଼ାଯିବ ନାହିଁ ବୋଲି ମଧ୍ୟ କିମ୍‌ ଧମକ ଦେଇଥିଲେ ।