ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଯିବାର ଦିନକ ପରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଏମ୍. ନାଗେଶ୍ବର ରାଓ ଆଜି ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି ବର୍ମାଙ୍କ ଦ୍ବାରା ଜାରି ହୋଇଥିବା ୫ଟି ବଦଳି ଆଦେଶକୁ ଆଜି ରାଓ ବାତିଲ କରିଦେଇଛନ୍ତି। ୧୯୮୬ ବ୍ୟାଚ୍ର ଆଇପିଏସ୍ ଅଫିସର ରାଓଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିବିଆଇ ଅନ୍ତରୀଣ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ବ ଗ୍ରହଣ କରିବା ମାତ୍ରେ ବର୍ମା ବିଗତ ୨ ଦିନ ମଧ୍ୟରେ ନେଇଥିବା ବଦଳି ସଂକ୍ରାନ୍ତ ସମସ୍ତ ଆଦେଶକୁ ବାତିଲ କରିଦେବା ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବରୁ ଯେଉଁ ତଦନ୍ତ ଟିମ୍ ନାଗେଶ୍ବର ଗଠନ କରିଥିଲେ ସେହି ଟିମ୍ ହିଁ ତଦନ୍ତ ଦାୟିତ୍ବରେ ରହିବେ ବୋଲି ସ୍ପଷ୍ଟ ହୋଇଯାଇଛି । ସିବିଆଇରେ ବଡ଼ ଧରଣର ଆଭ୍ୟନ୍ତରୀଣ କଳହ ଯୋଗୁଁ ସରକାର ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ ରାଓଙ୍କୁ ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩ ଦିନ ତଳେ ବର୍ମା ପୁଣି ଦାୟିତ୍ବ ଗ୍ରହଣ କରିଥିଲେ । ବର୍ମା ତାଙ୍କର ଏହି ଦେଢ଼ ଦିନର କାର୍ଯ୍ୟକାଳ ମଧ୍ୟୟରେ ପୂର୍ବରୁ ନାଗେଶ୍ବର ରାଓ ଜାରି କରିଥିବା ବଦଳି ଆଦେଶଗୁଡ଼ିକୁ ବାତିଲ କରିବା ସହ ନୂଆ ବଦଳି ଆଦେଶ ଲାଗୁ କରିଥିଲେ।
ଦାୟିତ୍ବ ନେଲେ ନାଗେଶ୍ବର, ବର୍ମାଙ୍କ ଦ୍ବାରା ଜାରି ବଦଳି ଆଦେଶ ବାତିଲ
/sambad/media/post_attachments/wp-content/uploads/2019/01/Nageswar.jpg)