ସଂସଦରେ ‘ହିନ୍ଦୁ’ର ରିପୋର୍ଟକୁ ଖଣ୍ଡନ କରିବା ମହଙ୍ଗା ପଡ଼ିଲା; ପ୍ରତିରକ୍ଷା ମନ୍ତ୍ରୀ ନିିର୍ମଳା ସୀତାରମଣଙ୍କୁ ମୁହଁତୋଡ୍‌ ଜବାବ ଦେଲେ ହିନ୍ଦୁ ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌ ରାମ୍‌

ତୀବ୍ର ହେଲା ରାଫେଲ ଦୁର୍ନୀତି ବିବାଦ

ନୂଆଦିଲ୍ଲୀ: ରାଫେଲ ଦୁର୍ନୀତି ପ୍ରସଙ୍ଗରେ ଦେଶର ପ୍ରତିଷ୍ଠିତ ସମ୍ବାଦପତ୍ର ‘ଦ ହିନ୍ଦୁ’ରେ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଦଲିଲ ପ୍ରକାଶିତ ହେବା ପରେ ଏହାକୁ କେନ୍ଦ୍ର କରି ଆଜି ସଂସଦରେ ଝଡ଼ ସୃଷ୍ଟି ହେବା ସହ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ତେବେ, ହିନ୍ଦ୍‌ୁରେ ପ୍ରକାଶିତ ରିପୋର୍ଟକୁ ସଂସଦରେ ଖଣ୍ଡନ କରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହିନ୍ଦୁରେ ପ୍ରକାଶିତ ରିପୋର୍ଟ ଅଭିସନ୍ଧିମୂଳକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ। ତେବେ ଏ ଟିପ୍ପଣୀ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବିବୃତି ପରେ ଏବେ ସାମନାକୁ ଆସିଛନ୍ତି ହିନ୍ଦୁ ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌ ରାମ୍‌। ଏନ୍‌ ରାମ୍‌ ବେଶ୍‌ ସ୍ପଷ୍ଟ ଓ ଶାଣିତ ସ୍ୱରରେ କହିଛନ୍ତି, ହିନ୍ଦୁରେ ପ୍ରକାଶିତ ରିପୋର୍ଟ ସଂପର୍କରେ ମୁଁ ନିର୍ମଳା ସୀତାରମଣଙ୍କ ଠାରୁ କୌଣସି ସ୍ପଷ୍ଟୀକରଣ ଚାହେଁ ନାହିଁ। ବର୍ତ୍ତମାନ ସେମାନେ ସମସ୍ତେ ବଡ଼ ଅସୁବିଧାରେ ପଡ଼ି ଯାଇଛନ୍ତି ଏବଂ ମାମଲାକୁ ଦବାଇ ଦେବାକୁ ଚାହୁଁଛନ୍ତି। ଏ ପରିସ୍ଥିତିରେ ମୁଁ ତାଙ୍କୁ (ନିର୍ମଳା ସୀତାରମଣ) ପରାମର୍ଶ ଦେଇ କହିବି ଯେ ସେ ଏହି କାରବାରରେ ସଂପୃକ୍ତ ନଥିଲେ। ତଥାପି ଅଯଥାରେ କାହିଁକି ଏହା ମଧ୍ୟକୁ ପଶି ନଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେବାକୁ ଯାଇ ଅଯଥାଟାରେ ବିପଦ ମଧ୍ୟକୁ ପଶୁଛନ୍ତି।


ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ହିନ୍ଦୁରେ ପ୍ରକାଶିତ ଦଲିଲ୍‌କୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଖାଇ ରାଫେଲ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଜଡ଼ିତ ବୋଲି ଅଭିଯୋଗ କରିଛନ୍ତି। ହିନ୍ଦୁରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଖୋଦ୍‌ ରାଫେଲ ପ୍ରସଙ୍ଗରେ ଫ୍ରାନ୍ସ ସରକାରଙ୍କ ସହ ଡିଲ୍‌ କରୁଥିବାରୁ ଏ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟ ହସ୍ତକ୍ଷେପ କରି ନଥିଲା। ଯେହେତୁ ପିଏମ୍‌ଓ ଏହି ଡିଲ୍‌ରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲା, ସେଥିପାଇଁ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ଡରିଥିଲା। ଯାହାକୁ ଖୋଦ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଏବେ ସ୍ୱାକାର କରିଛନ୍ତି। ସେହିପରି ପିଏମ୍‌ଓର ସଂପୃକ୍ତି ଦେଖାଇ ଫ୍ରାନ୍ସ ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି କଥା ଶୁଣି ନଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର