ଏନ୍‌ସେଫାଲାଇଟିସ୍‌ ଅନିୟନ୍ତ୍ରିତ, ମୃତ୍ୟୁସଂଖ୍ୟା ୧୬୫ ମୁଜାଫରପୁରରେ ୧୨୭

ପାଟନା : ବିହାରରେ ଏଇଏସ୍‌ (ଆକ୍ୟୁଟ୍‌ ଏନସେଫାଲାଇଟିସ୍‌ ସିଣ୍ଡ୍ରୋମ୍) ଜନିତ ମୃତ୍ୟୁସଂଖ୍ୟା ୧୬୫ରେ ପହଞ୍ଚିଛି। କେବଳ ମୁଜାଫରପୁରରେ ୧୨୭ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ପଦ‌କ୍ଷେପ ଗ୍ରହଣ ସତ୍ତ୍ବେ ଶିଶୁ ମୃତ୍ୟୁକୁ ରୋକିବାରେ ସରକାର ବ୍ୟର୍ଥ ହୋଇଛନ୍ତି। ୧୧ ବର୍ଷ ବୟସ ମଧ୍ୟରେ ଅନେକ ଶିଶୁ ଅକାରଣରେ ପ୍ରାଣ ହରାଇଛନ୍ତି। ତେବେ ମୁଜାଫରପୁର ସ୍ଥିତ ଏସକେଏମସିଏଚ୍‌ (ଶ୍ରୀ କୃଷ୍ଣ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌)ରେ କେବଳ ୧୦୮ ଜଣ ଶିଶୁଙ୍କ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ହୋଇଥିବା ବେଳେ କେଜ୍ରିୱାଲ୍‌ ହସ୍ପିଟାଲ୍‌ରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ବୈଶାଳୀରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେଗୁସରାଇରେ ୬ ଜଣ , ମୋତିହାରିରେ ୨, ପାଟନା, ବେଟିଆରେ ୨ , ଭାଗଲପୁର ଏବଂ ଗୋପାଳଗଂଜରେ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୪ ମସିହା ତୁଳନାରେ ମୁଜାଫରପୁରରେ ଏଇଏସ୍‌ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟରେ‌ ଏନ୍‌ସେଫାଲାଇଟିସ୍‌ ପାଇଁ ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ରହୁଥିବାରୁ ପ୍ରତି ଜିଲ୍ଲାରେ ଆଇସିୟୁ ସ୍ଥାପନ ଉପରେ ରାଜ୍ୟ ସରକାର ଗୁରୁ୍ତ୍ବାରୋପ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟେକ ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ ନିକଟରୁ ମିଳିଲା କଙ୍କାଳ
ବିହାରର ମୁଜାଫରପୁର ଏବେ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚାରେ ରହିଛି। ଦକ୍ଷିଣ ଆଫ୍ରିକୀୟ ଦେଶ ତୁଳନାରେ ମୁଜାଫରପୁରରେ ସ୍ଥିତି ଅଧିକ ସଂଗୀନ ରହିଛି। ଏନ୍‌ସେଫାଲାଇଟିସ୍‌ ହେତୁ ଏସ‌କେଏମସିଏଚ୍‌ ହସ୍ପିଟାଲ୍‌ରେ ୧୦୮ ଶିଶୁଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଏବେ ଏସ୍‌କେଏମସିଏଚ୍‌ ହସ୍ପିଟାଲ୍‌ ନିକଟରୁ ପୁଣି ୧୦୦ରୁ ଅଧିକ ମଣିଷ କଙ୍କାଳ ଖଣ୍ଡ ମିଳିବାପରେ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏସକେଏମସିଏଚ୍‌ ନିକଟସ୍ଥ ଏକ ଆବର୍ଜନା ଗଦା ଭିତରେ ଏହି କଙ୍କାଳ ଠାବ କରାଯାଇଛି। ହସ୍ପିଟାଲ୍‌ର ତଦନ୍ତକାରୀ ଟିମ୍‌ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ଏସକେଏମସିଏଚ୍‌ର ଜଣେ କର୍ମଚାରୀ କହିଛନ୍ତି ଶବ ବ୍ୟବଚ୍ଛେଦ ପରେ କୌଣସି ଦାବିଦାର ନଥିବା ମର ଶରୀରଗୁଡ଼ିକୁ ହସ୍ପିଟାଲ୍‌ ପଛରେ ଥିବା ଜଙ୍ଗଲରେ ଫୋପାଡ଼ି ଦିଆଯାଏ। ଏହାକୁ ପୋଡ଼ାଯାଏ ନାହିଁ କି ପୋତା ଯାଇନଥାଏ। ତେବେ ଏସକେଏମ୍‌ସିଏଚ୍‌ ମେଡିକାଲ ସୁପରିନଟେଣ୍ଡେଣ୍ଟ୍‌ ଏସକେ ଶାହି କହିଛନ୍ତି, ଶବ ବ୍ୟବଚ୍ଛେଦ ବିଭାଗ ଦ୍ବାରା ହୋଇଥିବା ଏଭଳି କାର୍ଯ୍ୟ ଅମାନବୀୟ। ସମ୍ପୃକ୍ତ ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ମୁଜାଫରପୁର ଜିଲ୍ଲାପାଳ ଆଲୋକ ରଂଜନ ଘୋଷ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ରିପୋର୍ଟ ମାଗିଛନ୍ତି। ସୂଚନାନୁଯାୟୀ ଏସକେଏମସିଏଚ୍‌ ହସ୍ପିଟାଲ୍‌ରେ କୌଣସି ଅଚିହ୍ନା ଲୋକଙ୍କ ମୃତ ଶରୀର ଆସିଲେ ତଥା କୌଣସି ମୃତ ବ୍ୟକ୍ତିଙ୍କର କେହି ଦାବିଦାର ନଥିଲେ ନିକଟସ୍ଥ ଥାନାରେ ରିପୋର୍ଟ ଦିଆଯାଏ। ଯଦି ୭୨ ଘଣ୍ଟା ପରେ ବି ମୃତ ବ୍ୟକ୍ତିର କେହି ଚିହ୍ନା ଜଣା ନ ଆସନ୍ତି ତେବେ ମୃତ ଶରୀରଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦିଆଯାଉଥିଲା।

ସମ୍ବନ୍ଧିତ ଖବର