ନବ ବାବୁଙ୍କ କଶ୍ମୀର ଅପିଲ୍‌, 8୧୯୫୮ କଶ୍ମୀର ପଦଯାତ୍ରା ତାଙ୍କୁ ବ୍ୟଥିତ କରିଥିଲା

କଶ୍ମୀର ନେତାଙ୍କ ଗିରଫଦାରୀ ବିରୋଧରେ ଥିଲେ ନବ ବାବୁ, ନେହରୁଙ୍କୁ ଭେଟି କରିଥିଲେ କଶ୍ମୀର ଅପିଲ୍‌

ଅନୁଗୁଳ, : ଦୀର୍ଘ ୭୦ବର୍ଷ ପରେ ଡଷ୍ଟବିନ୍‌ରେ ଫୋପଡ଼ା ହେବାକୁ ଯାଉଛି ଧାରା ୩୭୦ ଓ ୩୫-ଏ। ଜମ୍ମୁ ଏବଂ କଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ହଠାତ୍‌ ଏ ପ୍ରକାର ନିଷ୍ପତ୍ତି କେବଳ ଭାରତ ବର୍ଷକୁ ନୁହେଁ, ଆଜି ବିଶ୍ବରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ପ୍ରସଙ୍ଗ ତ ବହୁ ପୁରୁଣା। ତଥାପି ଜମ୍ମୁ କଶ୍ମୀର କଥା ଯେତେବେଳେ ଯିଏ ବି ଉଠାଇଛି ତାହା ସବୁବେଳେ ତାଜା ହୋଇ ଉଠିଛି। ଷାଠିଏ ଦଶକରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମନକୁ ବି ଗଭୀର ଆନ୍ଦୋଳିତ କରିଥିଲା। ଇତିହାସ କହୁଛି, ୧୯୫୮ମସିହାରେ ନବ ବାବୁ ବିନୋବା ଭାବେ ଏବଂ ମୃଦୁଳା ସରଭାଇଙ୍କ ସହ ଜାମ୍ମୁକଶ୍ମୀରକୁ ପଦଯାତ୍ରାରେ ଯାଇଥିବା ବେଳେ କଶ୍ମୀରବାସୀଙ୍କ ଦୁଃଖ ଦୁର୍ଦ୍ଦଶା ତାଙ୍କ ଆଖିରେ ପଡ଼ିଥିଲା। ସେ ପୂରା ବିଚଳିତ ହୋଇ ପଡ଼ିଥିଲେ। ସେତେବେଳକୁ ଜାମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହମ୍ମଦ ଅବଦୁଲା ଶେଖ୍‌ଙ୍କୁ ସରକାର ଗିରଫ କରିଥାନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ କ୍ଷମତାରେ ଥାନ୍ତି ଜବାହରଲାଲ୍‌ ନେହରୁ। ସେତେବେଳେ କଶ୍ମୀର ପ୍ରସଙ୍ଗ ନବବାବୁଙ୍କ ମନକୁ ଛୁଇଁଥିଲା। ସରକାରୀ କ୍ଷମତା ସେଠାକାର ଜନସାଧାରଣଙ୍କ ଉପରେ ଏକ ପ୍ରକାର ଚାପ ସଦୃଶ ହେଉଛି ବୋଲି ସେତେବେଳକୁ ବୋଧ ହୁଏ ନବ ବାବୁଙ୍କୁ ହୃଦବୋଧ ହୋଇଥିଲା। ଗଣତନ୍ତ୍ରର ଗାରିମା ସେଠାରେ ମରି ଯାଉଥିବା ଆଶଙ୍କା ତାଙ୍କ ମନରେ ଜାଗ୍ରତ ହୋଇଥିଲା।

ସେଥିପାଇଁ କଶ୍ମୀର ପଦଯାତ୍ରାରୁ ଫେରିବା ପରେ ୧୯୫୯ରୁ ୧୯୬୩ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କୁ ସେ ବିରୋଧ କରିଥିଲେ। ଜୋର୍‌ ଜବରଦସ୍ତି ବଦଳରେ ଗାଣତାନ୍ତ୍ରିକ ଉପାୟରେ କଶ୍ମୀର ସମସ୍ୟାର ସମାଧାନ ଉପରେ ଜୋର୍‌ ଦେଉଥିଲେ ନବ ବାବୁ। ଦାବି କରୁଥିଲେ, ଅବଦୁଲାଙ୍କୁ ବନ୍ଦୀ ମୁକ୍ତ କରାଯାଉ। ନେତାଙ୍କୁ ତୁରନ୍ତ ଛାଡ଼ିବା ସହିତ ସେମାନଙ୍କ ସହ ଆଲୋଚନା କରି ଗଣତାନ୍ତ୍ରିକ ଉପାୟରେ କଶ୍ମୀର ସମସ୍ୟା ଉପରେ ସମାଧାନ କରିବାକୁ ସେ ଚାହୁଁଥିଲେ ବୋଲି ନବ ବାବୁଙ୍କ କନ୍ୟା କ୍ରୀଷ୍ଣା ମହାନ୍ତି କହିଛନ୍ତି। ଆଜି ନବ ବାବୁ ନାହାନ୍ତି। ନେହରୁ ବି ନାହାନ୍ତି। କିନ୍ତୁ, ଉଭୟ ନେତୃତ୍ବଙ୍କ ଆବର୍ତ୍ତମାନରେ କଶ୍ମୀର ପ୍ରସଙ୍ଗ ପୁରୁଣା ହେଲେ ବି ତାଜା ହୋଇ ରହିଛି। ୨୦୧୯ମସିହାରେ ଗତ ଷାଠିଏ ଦଶକ ଇତିହାସର ଆଜି ପୁଣି ପୁନରାବୃତ୍ତି ହୋଇଛି। ସ୍ଥାନୀୟ ନେତାଙ୍କୁ ପୁଣି କବ୍‌ଜାକୁ ନେଇ କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ହଟାଇବାକୁ ଯାଉଛନ୍ତି। ଏ ନିଷ୍ପତ୍ତି କ’ଣ ଗଣତନ୍ତ୍ର ବିରୋଧୀ ନା କଶ୍ମୀରଠୁ କନ୍ୟାକୁମାରୀ ଯାଏ ସମସ୍ତ ଭାରତୀୟଙ୍କୁ ଏକତ୍ବ ସୂତ୍ରରେ ବାନ୍ଧିବା ପାଇଁ ସୁଦୃଢ଼ ଗଣତନ୍ତ୍ରର ସୁନ୍ଦର ପଦକ୍ଷେପ? ଭବିଷ୍ୟତ ହିଁ ସ୍ପଷ୍ଟ କରିବ।

ସମ୍ବନ୍ଧିତ ଖବର