ଜାତୀୟ ଆନ୍ଦୋଳନର ଭିତ୍ତି ପଡ଼ିଲା

ଚାଷୀଙ୍କ ପାଇଁ ଗର୍ଜିଲେ

ନୂଆଦିଲ୍ଲୀ : ସାରା ଭାରତବର୍ଷରେ ଚାଷୀମାନଙ୍କ ପାଇଁ ନୂଆ ଆନ୍ଦୋଳନର ସୂତ୍ରପାତ କରିବାରେ ଆଜି ଓଡ଼ିଶାକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଓଡ଼ିଶା ନବନିର୍ମାଣ କୃଷକ ସଂଗଠନର ପ୍ରୟାସରେ ଆଜି ନୂଆଦିଲ୍ଲୀର ସଂସଦ ମାର୍ଗରେ ଅନୁଷ୍ଠିତ ପ୍ରଥମ ଜାତୀୟ ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀ ଓ ପ୍ରତିନିଧିମାନଙ୍କୁ ମିଶାଇ ଦେଶର ୨୨ଟି ରାଜ୍ୟର ୧୦ ହଜାରରୁ ଅଧିକ ଚାଷୀ ଓ ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂକଳ୍ପ ନେଇଛନ୍ତି।

ବର୍ଷୀୟାନ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆଜି ଏହି ଆନ୍ଦୋଳନର ପୁରୋଧା ସାଜି କେନ୍ଦ୍ରରେ ନେତୃତ୍ୱାଧୀନ ମୋଦି ସରକାର ବିରୋଧରେ ବିଷୋଦ୍‌ଗାର କରିବା ସହିତ ଆସନ୍ତା ଦିନରେ ଚାଷୀଙ୍କ ପାଇଁ ବଡ଼ ଧରଣର ଆନ୍ଦୋଳନ ଲାଗି ଆହ୍ଵାନ ଦେଇଛନ୍ତି।  ସେ କହିଛନ୍ତି, ଭ୍ରଷ୍ଟାଚାର ଓ ଦୁୁର୍ନୀତି ବିରୋଧରେ ଦୀର୍ଘ ଦିନ ଧରି ଲଢ଼େଇ କରିଥିଲେ ହେଁ ୮୦ ବର୍ଷ ବୟସରେ ସେ କୃଷକମାନଙ୍କ ପାଇଁ ଲଢ଼େଇ ଲାଗି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। କେବଳ ସେତିକି ନୁହେଁ, ଆସନ୍ତାବର୍ଷ ଜାନୁଆରି ମାସର ଶେଷ ସପ୍ତାହ ଅଥବା ଫେବ୍ରୁଆରି ମାସର ପ୍ରଥମ ସପ୍ତାହରେ ‘ରାମଲୀଳା ମଇଦାନ ଚଲୋ’ର ଆହ୍ଵାନ ଦେଇଛନ୍ତି ଆନ୍ନା। ଅନ୍ୟପକ୍ଷରେ ସବୁବେଳେ ପଛୁଆ ଓ ଅନଗ୍ରସର ରାଜ୍ୟ ରୂପେ ପରିଗଣିତ ଓଡ଼ିଶା ଆଜି ଦେଶରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବା କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ବୋଲି ସୂଚନା ଦେଇଥିଲେ ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ। ଆହ୍ଵାନ ଦେଇଥିଲେ, ପ୍ରତ୍ୟେକ ଚାଷୀ ଏଠାରୁ ଯାଇ ଅତି କମ୍‌ରେ ୧୦ଟି ପରିବାରକୁ ଯୋଡ଼ିପାରିଲେ ଏହି ଆନ୍ଦୋଳନ ଆଗକୁ ନିର୍ଣ୍ଣାୟକ ମୋଡ଼ ନେବ। ଏଥିସହିତ ନବନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀକୁ ନେଇ ଆଜି ସାରା ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଆଜି ବିଶାଳ ଚାଷୀ ସମାବେଶକୁ ସମ୍ବୋଧିତ କରିବା ବେଳେ ନରେନ୍ଦ୍ର ମୋଦି ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିବାକୁ ଯାଇ ଆନ୍ନା କହିଥିଲେ, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାରେ ବିଫଳ ହୋଇଛନ୍ତି। ଦେଶରେ କୃଷକମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଦ୍ୟୋଗପତିଙ୍କୁ ଋଣ ଛାଡ଼ କରାଯାଉଛି ଅଥଚ ଗରିବ ଚାଷୀଙ୍କୁ ଋଣ ମୁକ୍ତ କରାଯାଉନି। କଳାଟଙ୍କା ଠାରୁ ଆରମ୍ଭ କରି ସର୍ବନିମ୍ନ ସହାୟକ ମୂଲ୍ୟ ଯାଏ ସବୁ କ୍ଷେତ୍ରରେ ବିଫଳତାର ଲମ୍ବା ତାଲିକା ରଖିଥିଲେ।

ଆନ୍ନା କ୍ଷୋଭ ପ୍ରକଟ କରି କହିଥିଲେ, ଦେଶରେ ଲୋକପାଳ ବିଲ୍‌ ପାସ୍‌ କରାଇବା ପାଇଁ ସେ ଜୀବନକୁ ବାଜି ଲଗାଇ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ବିଲ୍‌ର ସ୍ୱରୂପକୁ ମୋଦି ସରକାର ଦୁର୍ବଳ କରି ଦେଇଛନ୍ତି। କୃଷକମାନଙ୍କ ବିରୋଧରେ ଯାଉଥିବା ମୋଦି ସରକାରଙ୍କ ଜମି ଅଧିଗ୍ରହଣ ବିଲ୍‌କୁ ସେ ପ୍ରବଳ ବିରୋଧ କରିବାରୁ ଚାପରେ ପଡି ସରକାର ପ୍ରତ୍ୟାହାର କରି ନେଇଥିଲେ। ହେଲେ କୃଷକର ଶକ୍ତି ଅପାର। ତାକୁ କେହି ଅଣଦେଖା କରି ପାରିବ ନାହିଁ। ସାରା ଦେଶର କୃଷକ ସଂଗଠନଙ୍କୁ ଯୋଡ଼ି ସେ ଆସନ୍ତାବର୍ଷ ଜାନୁଆରି ମାସର ଶେଷ ସପ୍ତାହ ନଚେତ ଫେବ୍ରୁଆରି ମାସର ପ୍ରଥମ ସପ୍ତାହରେ ‘ରାମଲୀଳା ମଇଦାନ ଚଲୋ’ର ଆହ୍ଵାନ ଦେଇଥିଲେ। ଏହା ପୂର୍ବରୁ ସେ ତିନିମାସ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟକୁ ଗସ୍ତ କରି ଜନସଭା କରିବା ସହିତ କୃଷକମାନଙ୍କର ବିଭିନ୍ନ ପ୍ରସଙ୍ଗ ନେଇ ଜନସଚେତନତା ସୃଷ୍ଟି କରିବେ ବୋଲି କହିଥିଲେ। ଏହି ଅବସରରେ ଆନ୍ନା ଚାଷୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଆରମ୍ଭ କରିବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେ କହିଥିଲେ, ତାଙ୍କର ନିର୍ବାଚନରେ ଲଢ଼ିବାର ଇଚ୍ଛା କିମ୍ବା ଅଭିପ୍‌ସା ନାହିଁ। ସେ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ପସନ୍ଦ କରନ୍ତି ନାହିଁ। ସେ କୃଷକମାନଙ୍କ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ନିଶ୍ଚିତ ଫଳପ୍ରଦ ହେବ, ସେ ଆଶା ତାଙ୍କ ରହିଛି।

ଆନ୍ନା କହିଥିଲେ ଚାଷୀ ଯେ ପର୍ଯ୍ୟନ୍ତ ପାର୍ଲାମେଣ୍ଟ ଯାଇନାହାନ୍ତି, ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ସମସ୍ୟା ଦୂର ହୋଇପାରିବ ନାହିଁ। ଆନ୍ନା ଆଶା ପ୍ରକାଶ କରି କହିଥିଲେ କିଛି ନ ହେଲେ ଆଠ ଦଶ ବର୍ଷ ଭିତରେ କୃଷକମାନେ ବହୁ ସଂଖ୍ୟାରେ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରିବେ। ସେମାନେ କୃଷି ସମ୍ବନ୍ଧୀୟ ନିୟମକାନୁନ ଓ କୃଷି ଆୟୋଗ ମଧ୍ୟ ଗଠନ କରିପାରିବେ ଓ କୃଷକମାନଙ୍କର ସମସ୍ୟା ଦୂର କରିବା ପାଇଁ ତତ୍ପର ହେବେ। ଏହା ଅସମ୍ଭବ ନୁହେଁ।
ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ବର୍ଷୀୟାନ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଏହି ସମ୍ମିଳନୀରେ ଯୋଗଦେବା ତଥା କୃଷକ ଆନ୍ଦୋଳନର ନେତୃତ୍ୱ ନେବା ତାଙ୍କର ଦ୍ୱିତୀୟ ଅବତାର। ପ୍ରଥମେ ଆନ୍ନା ହଜାରେ ଲୋକପାଳ ଭଳି ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ ଦିଲ୍ଲୀରୁ। ଆନ୍ନାଙ୍କର ଆନ୍ଦୋଳନରେ ଜଡ଼ିତ ହେବା ନିଶ୍ଚିତ ରୂପେ ଏହି ଆନ୍ଦୋଳନକୁ ଫଳପ୍ରଦ କରିବ। ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାର ଚାଷୀମାନେ ଦୀର୍ଘଦିନ ହେଲା ପ୍ରାଇସ୍‌, ପ୍ରେଷ୍ଟିିଜ୍‌ ଓ ପେନ୍‌ସନ୍‌କୁ ନେଇ ଆନ୍ଦୋଳନ କରି ଆସୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଛି, ସେମାନଙ୍କର ସମସ୍ୟା ସମାଧାନ କରିବାର। ବିଶେଷ କରି କେନ୍ଦ୍ର ସରକାରଙ୍କର ଗୁରୁ ଦାୟିତ୍ୱ ରହିଛି। ହେଲେ ତାହା ପୂରଣ ହୋଇପାରୁ ନାହିଁ। ଯାହା ଫଳରେ ଆଜି ଶତାଧିକ ଚାଷୀ ଦିଲ୍ଲୀ ଦରବାରର ଦ୍ୱାରସ୍ଥ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ସ୍ୱାମୀନାଥନ୍‌ କମିସନଙ୍କ ସୁପାରିସ ଲାଗୁ କରିବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରାନଯିବା ଆଦୌ ଭଲ ଲକ୍ଷଣ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ  କହିଥିଲେ। ଚେତାଇ ଦେଇଥିଲେ,  ଯେଉଁମାନେ ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି ଓ ଚାଷୀମାନଙ୍କୁ ଭଣ୍ଡାଇଛନ୍ତି ସେମାନେ ସେମାନଙ୍କର ରଣନୀତିରେ ସଫଳ ହୋଇପାରିବେ ନାହିଁ। ଭୋଟ କାଙ୍ଗାଳ ନେତାମାନଙ୍କୁ ଯେବେ ଭୋଟ୍‌ ନ ମିଳିବାର ଆଶଙ୍କା ଦେଖାଦେବ ସେତେବେଳେ ସେମାନେ ବୁଝିବେ। ଯେଉଁମାନେ ଚାଷୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବେ ସେମାନଙ୍କୁ ଭୋଟ ଦେବା ପାଇଁ ବିଚାର କରିବାକୁ ସେ ଆହ୍ଵାନ ଦେଇଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କାର୍ଯ୍ୟକାରୀ କରି ଚାଷୀଙ୍କୁ ସେମାନଙ୍କର ହକ୍‌ ଦେବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ଆନ୍ଦୋଳନକୁ ଏଭଳି ସଶକ୍ତ କରାଯିବ, ଯାହାଫଳରେ ଆମକୁ ଆପେ ଆମର ସମ୍ମାନ ମିଳିଯିବ। ଚାଷୀ ଭିକ୍ଷା ମାଗୁ ନାହିଁ ବୋଲି ସେ କ୍ଷୋଭ ପ୍ରକଟ କରିଥିଲେ।

ଜଳମାନବ ରୂପେ ପରିଚିତ ରାଜେନ୍ଦ୍ର ସିଂହ ଏହି ସମାବେଶରେ ଯୋଗଦେଇ କହିଥିଲେ, ସମସ୍ତଙ୍କୁ ସଂଗଠିତ କରି ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାର କ୍ଷମତା ଆନ୍ନା ହଜାରେଙ୍କ ପାଖରେ ଅଛି। ନବନିର୍ମାଣ କୃଷକ ସଂଗଠନର କୃଷକମାନଙ୍କ ସଂପର୍କିତ ସମସ୍ତ ଦାବିକୁ ସେ ସମର୍ଥନ ଜଣାଇଥିଲେ। ସମ୍ମିଳନୀରେ ରମଣ ମାଗାସେସେ ପୁରସ୍କାର ବିଜେତା ତଥା ସମାଜସେବୀ ସନ୍ଦୀପ ପାଣ୍ଡେ କହିଥିଲେ, ଦେଶରେ ଚାଷୀମାନଙ୍କ ସମସ୍ୟା ଅତ୍ୟନ୍ତ ଗମ୍ଭୀର ରୂପ ନେବାକୁ ଲାଗିଲାଣି। ଯଦି କୃଷକ ତାହାର କାର୍ଯ୍ୟ ବନ୍ଦ କରିଦେବ ତାହାର ପ୍ରଭାବ କଅଣ ହେବ ଏ ନେଇ କେହି ଚିନ୍ତା କରୁନାହାନ୍ତି। ରାଜନୈତିକ ଦଳମାନେ କୃଷିକୁ ଆଦୌ ପ୍ରାଥମିକତା ଦେଉନାହାନ୍ତି ଓ ଚାଷୀମାରଣ ନୀତି କରାଯାଉଛି। ସରକାର କର୍ପୋରେଟ୍‌ ସେକ୍ଟରକୁୁ ଅନୁକମ୍ପା ଦେଖାଇବାରେ ବ୍ୟସ୍ତ, ମାତ୍ର ତାହା ଚାଷୀଙ୍କ ଋଣ ଛାଡ଼ କ୍ଷେତ୍ରରେ ନାହିଁ। ଏପରିକି ବୀମା ପଇସା ମଧ୍ୟ ମିଳୁନାହିଁ।
ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର ସର୍ବଭାରତୀୟସ୍ତରରେ ଆନ୍ଦୋଳନକୁ ଜୋରଦାର କରି କୃଷକମାନଙ୍କ ଦାବି ହାସଲ ପାଇଁ ମତ ରଖିଥିଲେ। ଚାଷୀର ଦାବିକୁ ୬ ମାସରେ କାର୍ଯ୍ୟକାରୀ କରାନଗଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଅସହଯୋଗ ସତ୍ୟାଗ୍ରହ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ବର୍ଷକ ଭିତରେ ନବନିର୍ମାଣ କୃଷକ ସଂଗଠନର ୫ ଲକ୍ଷ ଚାଷୀ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିକୁ କେନ୍ଦ୍ର ସରକାରଙ୍କୁ ମାନିନେବା ପାଇଁ ଚାପ ପକାଇବେ ବୋଲି ସେ କହି କହିଥିଲେ।

ସମାବେଶକୁ ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ତଥା ସମାଜସେବୀ ରବି ଦାସ, ପ୍ରଫୁଲ୍ଲ ସାମନ୍ତରାୟ, ପ୍ରଫେସର ମନୋରଂଜନ ମହାନ୍ତି, ହିମାଂଶୁ ତିଓ୍ଵାରୀ, ପ୍ରତାପ ଚୌଧୁରୀ, ସୁରେଶ କୋଟ, ଗୁରନାମ ସିଂହ ଚନ୍ଦୁରୀ, ହରପାଲ ସିଂହ, ମହେନ୍ଦ୍ର ସିଂହ, ରାକେଶ ରଫିକ, ମଂଜୁ ମୋହନ, ଶେଷଦେବ ନନ୍ଦ ମଧ୍ୟ ସମ୍ବୋଧନ କରିଥିଲେ। ମଧ୍ୟପ୍ରଦେଶର କୃଷକ ନେତା ଈଶ୍ୱର ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ମିଳନୀ ଶେଷରେ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ନବନିର୍ମାଣ କୃଷକ ସଂଗଠନର ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ। ସମ୍ମିଳନୀକୁ ସମର୍ଥନ ଜଣାଇବା ଲାଗିି ମଧ୍ୟପ୍ରଦେଶରୁ ଶତାଧିକ ମହିଳା ହାତରେ ବାଡ଼ି ଧରି ଆସି ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର