ନବୋଦୟ ବିଦ୍ୟାଳୟରେ ଆତ୍ମହତ୍ୟା ଘଟଣା:ଚାପଗ୍ରସ୍ତ ଶିକ୍ଷକ, ପରାମର୍ଶକାରୀଙ୍କ ଅଭାବ ଦାୟୀ

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟରେ ବିଗତ ୫ ବର୍ଷ ମଧ୍ୟରେ ୪୯ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା‌ ଘଟଣା ଉଦ୍‌ବେଗର ସୃଷ୍ଟି କରିଥିବା ବେଳେ ଏହା ପଛରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଚାପଗ୍ରସ୍ତ ଶିକ୍ଷକ ଏବଂ ପରାମର୍ଶକାରୀଙ୍କ ଅଭାବ, ବେପରୁଆ ବଦଳି ନୀତି, ବେତନ ବୃଦ୍ଧିରେ ପ୍ରତିବନ୍ଧକ ଆଦି ପ୍ରମୁଖ କାରଣ ଭାବେ ରହିଥିବା ଜଣାପଡ଼ିଛି। ବିଭିନ୍ନ କ୍ୟାମ୍ପସ୍‌ରେ ପ୍ରଶିକ୍ଷିତ ପରାମର୍ଶକାରୀ ନଥିବାରୁ ଚାପଗ୍ରସ୍ତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଯଥୋଚିତ ଦେଖାଶୁଣା ପ୍ରତି ଧ୍ୟାନ ଦେଇପାରି ନ ଥାନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ସ୍କୁଲ୍‌ର ଅଧ୍ୟକ୍ଷ କିମ୍ବା ଶିକ୍ଷକଙ୍କ ଦ୍ବାରା ପ୍ରବଳ ଚାପରେ ଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଅବସାଦ, ପାଠପଢ଼ା ଚାପ ଏବଂ ଶିକ୍ଷକଙ୍କ ଦ୍ବାରା ଅପମାନିତ ହେବା ଆତ୍ମହତ୍ୟାର ଅନ୍ୟତମ କାରଣ। ଚାପଗ୍ରସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ, ଆତ୍ମହତ୍ୟା ପ୍ରବୃତ୍ତି ଯେତେବେଳେ ବଢ଼ିଥାଏ, ତାହାକୁ ଚିହ୍ନଟ କରି ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହି ସ୍ଥିତି ଉପୁଜୁଛି। ଯେତେବେଳେ କୌଣସି ଛାତ୍ରଛାତ୍ରୀ ନିଜକୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି, ତାହା କୌଣସି ଆକସ୍ମିକ ନିଷ୍ପତ୍ତି ନଥାଏ। ୨୦୧୫ରେ ନବୋଦୟ ବ୍ୟବସ୍ଥା ସମ୍ପର୍କରେ ନୀତି ଆୟୋଗ ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ଏହାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକାଂଶ ସମୟ କାର୍ଯ୍ୟଚାପ ଏବଂ ମାନସିକ କଷ୍ଟ ଭୋଗୁଛନ୍ତି। ୧୬ଟି ରାଜ୍ୟର ୫୬ଟି ସ୍କୁଲ୍‌ରେ ୧୧୨ ଶିକ୍ଷକଙ୍କୁ ନେଇ ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଥିଲା ଯେ ପଠନ ବ୍ୟତୀତ ସେମାନଙ୍କୁ ଅନ୍ୟ ପରିଚାଳନାଗତ କାର୍ଯ୍ୟରେ ନିୟୋଜିତ କରାଯିବା ବଡ଼ ସମସ୍ୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର