ନ‌ବୋଦୟ ବିଦ୍ୟାଳୟରେ ଆତ୍ମହତ୍ୟା ବଢ଼ୁଛି

O ୫ ବର୍ଷରେ ଗଲାଣି ୪୯ ଜୀବନ O ମୃତକଙ୍କ ମଧ୍ୟରେ ଅଧା ଦଳିତ, ଆଦିବାସୀ

ନୂଆଦିଲ୍ଲୀ: ଗ୍ରାମୀଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)ଗୁଡ଼ିକରେ ଆତ୍ମହତ୍ୟା ଘଟଣା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ବିଗତ ୫ ବର୍ଷ ମଧ୍ୟରେ ସରକାରଙ୍କ ଏହି ଆବାସିକ ବିଦ୍ୟାଳୟରେ ମୋଟ ୪୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। ବିଭିନ୍ନ କାରଣରୁ ଅତ୍ୟନ୍ତ ଚାପରେ ରହୁଥିବା ଏହି ଛାତ୍ରଛାତ୍ରୀ ବିଦ୍ୟାଳୟଗୁଡ଼ିକର ପରିସରରେ ହିଁ ଆତ୍ମହତ୍ୟା କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଆତ୍ମହତ୍ୟା କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଅଧା ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି।
ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ମାଧ୍ୟମରେ ହସ୍ତଗତ ହୋଇଥିବା ରିପୋର୍ଟ ଦର୍ଶାଇଛି ଯେ ୨୦୧୩ରୁ ୨୦୧୭ ମଧ୍ୟରେ ନବୋଦୟ ବିଦ୍ୟାଳୟଗୁଡ଼ିକରେ ୪୯ ପିଲା ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଛାଡ଼ି ବାକି ସମସ୍ତେ ଫାଶି ଲଗାଇଛନ୍ତି। ବୋର୍ଡ ପରୀକ୍ଷାରେ ସବୁବେଳେ ଭଲ ରେଜଲ୍ଟ ଦେଉଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣାରେ ରଖାଯାଇ ଉନ୍ନତ ଶିକ୍ଷା ପ୍ରଦାନ କରାଯାଏ। ଏହାଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇଥାନ୍ତି। ବର୍ତ୍ତମାନ ଦେଶରେ ଥିବା ୬୩୫ ନବୋଦୟ ବିଦ୍ୟାଳୟରେ ୨.୮ ଲକ୍ଷ ପିଲା ପଢୁଛନ୍ତି। ୨୦୧୭ ମାର୍ଚ୍ଚ ୩୧ ସୁଦ୍ଧା ୬୦୦ ବିଦ୍ୟାଳୟରେ ୯ରୁ ୧୯ ବର୍ଷ ବୟସ ବର୍ଗର ମୋଟ ୨.୫୩ ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେହିବର୍ଷ ବିଦ୍ୟାଳୟଗୁଡ଼ିକରେ ମୋଟ ୧୪ଟି ଆତ୍ମହତ୍ୟା ରେକର୍ଡ କରାଯାଇଛି। ଲକ୍ଷେ ଛାତ୍ରଛାତ୍ରୀ ହିସାବରେ ଏହି ଅନୁପାତ ୫.୫ ହେବ ବୋଲି ଆକଳନ କରାଯାଇଛି, ଯାହା ଜାତୀୟ ହାରଠାରୁ (ପ୍ରତି ଲକ୍ଷେରେ-୬ରୁ ୧୭ ବର୍ଷ ବୟସର ୩ ଆତ୍ମହତ୍ୟା ) ଢେର ଅଧିକ ରହିଛି। ୨୦୧୬ରେ ଜେଏନ୍‌ଭିରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ସଂଖ୍ୟା ଦୁଇଅଙ୍କ (୧୨) ଛୁଇଁଥିଲା ଏବଂ ଗତବର୍ଷ ଏହା ୧୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର