କଂଗ୍ରେସ ଏବେ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇସାରିଛି: ବିଜେପି ଅଧ୍ୟକ୍ଷ

ଅହମ୍ମଦାବାଦ: କଂଗ୍ରେସ ଉପରେ ଆଜି କଡା ଆକ୍ରମଣ କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା | ଶୁକ୍ରବାର ଦିନ ଗୁଜୁରାଟର ଅହମ୍ମଦାବାଦରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ ବରଂ ଭାଇ ଓ ଭଉଣୀଙ୍କ ଦଳ ହୋଇଯାଇଛି । ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଏକ ବୈଠକରେ କର୍ମୀମାନଙ୍କୁ ସେ କହିଛନ୍ତି ଯେ ଦେଶରେ କେବଳ ଗୋଟିଏ ଦଳ ରହିଛି, ତାହା ହେଉଛି ବିଜେପି, ଯାହାକୁ ଜାତୀୟ ଦଳ କୁହାଯାଇପାରେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେପି ନଡ୍ଡା ପ୍ରାୟ ସମସ୍ତ ରାଜନୈତିକ ଦଳ ବିଷୟରେ ଉଲ୍ଲେଖ କରିଛନ୍ତି।

ସର୍ବପ୍ରଥମେ ସେ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ। କଂଗ୍ରେସକୁ ନେଇ ନଡ୍ଡା କହିଛନ୍ତି ଯେ କଂଗ୍ରେସ ଏବେ ଆଉ ଜାତୀୟ ଦଳ ହୋଇ ରହିନାହିଁ | ଭାରତୀୟ ଜାତୀୟ କଂଗ୍ରେସରେ ଆଉ ଭାରତୀୟ ବା ଜାତୀୟ ହୋଇ ରହିନାହିଁ, ଏହା କେବଳ ଭାଇ-ଭଉଣୀଙ୍କ ଦଳରେ ପରିଣତ ହୋଇଛି। ଏହା ପରେ ଜେପି ନଡ୍ଡା କହିଛନ୍ତି ଯେ, ‘ଜମ୍ମୁକଶ୍ମୀରର ନ୍ୟାସନାଲ କନ୍ଫରେନ୍ସ, ପିଡିପି, ପଞ୍ଜାବର ଶିରୋମଣି ଅକାଲୀ ଦଳ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ଖଡଖଣ୍ଡର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସକୁ ଦେଖନ୍ତୁ। ଏସବୁ ପାରିବାରିକ ଦଳରେ ପରିଣତ ହୋଇଛି’ |

ନଡ୍ଡା ଆହୁରି କହିଛନ୍ତି ଯେ ଆପଣ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ପାଇବେ। ତାମିଲନାଡୁର ଡିଏମକେ ସହ ଶିବସେନା ଏବଂ ଏନସିପି ମଧ୍ୟ ପାରିବାରିକ ଦଳରେ ପରିଣତ ହୋଇଛି | ସୂଚନା ଥାଉ କି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ।

ସମ୍ବନ୍ଧିତ ଖବର