ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିରେ ଉଲ୍ଲେଖନୀୟ ପରିବର୍ତନ ଘଟିଛି। ତୁଷ୍ଟୀକରଣ ବଦଳରେ କାର୍ଯ୍ୟଦକ୍ଷତା, ଉତ୍ତରଦାୟିତ୍ବ ଓ ସୁଶାସନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି ଯେ ମୋଦୀଙ୍କ ଶାସନକାଳ ଦେଶ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ। ଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସେ ଭାରତୀୟ ରାଜନୈତିକ ସଂସ୍କୃତିକୁ ନୂଆ ରୂପ ଦେଇଛନ୍ତି। ଅତୀତରେ କ୍ଷମତା ବଜାୟ ରଖିବା ଉଦ୍ଦେଶ୍ୟରେ ତୁଷ୍ଟୀକରଣ ରଣନୀତି ଆପଣାଯାଉଥିଲା। ମୋଦୀଙ୍କ ନେତୃତ୍ୱରେ କାର୍ଯ୍ୟଦକ୍ଷତା, ଉତ୍ତରଦାୟିତ୍ବ ଓ ସୁଶାସନ ଉପରେ ଗୁରୁତ୍ବ ଦିଆଯାଇଛି। ଏହା ଏବେ ନୂଆ ସ୍ୱାଭାବିକ ସ୍ଥିତିରେ ପରିଣତ ହୋଇଛି ବୋଲି ନଡ୍ଡା କହିଛନ୍ତି।

Advertisment

ଏନ୍‌ଡିଏକୁ ଲୋକଙ୍କ ସରକାର ବୋଲି ଅଭିହିତ କରି ନଡ୍ଡା ଦାବି କରିଛନ୍ତି ଯେ ମୋଦୀ ପ୍ରଶାସନ ଏକ ଆଗଧାଡ଼ିର, ସ୍ୱଚ୍ଛ ଓ ଭବିଷ୍ୟତବାଦୀ ଶାସନ ମଡେଲ ନିର୍ମାଣ କରିଛି। ଆମେ ବିକଶିତ ଭାରତ ବିଷୟରେ କହୁଛୁ। ଏହା ହେଉଛି ଅମୃତ କାଳ। ବିଗତ ୧୧ ବର୍ଷ ପ୍ରକୃତରେ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିଛି। ନଡ୍ଡା ବର୍ତ୍ତମାନର ସରକାର ଏବଂ ଏହା ପୂର୍ବରୁ ଥିବା ୟୁପିଏ ସରକାର ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ଯେ ୨୦୧୪ ପୂର୍ବ ଯୁଗ ଦୁର୍ନୀତି ଓ ନକାରାତ୍ମକତା ଦ୍ୱାରା ପରିଚିତ ଥିଲା। ଏବେ ଲୋକେ ଗର୍ବର ସହ କହୁଛନ୍ତି, ‘ମୋଦୀ ହୈ ତୋ ମୁମ୍‌କିନ୍ ହୈ’। ଗତ ଏକ ଦଶନ୍ଧି ମଧ୍ୟରେ ଆମେ ଏସ୍‌ସି, ଏସ୍‌ଟି ଓ ଓବିସି ସମ୍ପ୍ରଦାୟ ସମେତ ସମାଜର ସମସ୍ତ ବର୍ଗର ବିକାଶ ପାଇଁ କାମ କରିଛୁ। ତିନି ତଲାକ ଉଚ୍ଛେଦ ଓ ନାଗରିକତା ସଂଶୋଧନ ଆଇନ ପାରିତ କରିବା ସମେତ ମୋଦୀ ସରକାରଙ୍କ ଅନେକ ସାହସିକ ନିଷ୍ପତ୍ତି ବିଷୟରେ ମଧ୍ୟ ନଡ୍ଡା ଉଲ୍ଲେଖ କରିଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ସମ୍ପର୍କରେ ନଡ୍ଡା କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଦେଶ ବିଶ୍ୱ ମାନ୍ୟତାରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ବିଗତ ୧୧ ବର୍ଷ ମଧ୍ୟରେ ଆମେ ବିଶ୍ୱ ଅର୍ଥନୀତିରେ ଦଶମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛୁ।