ନୂଆଦିଲ୍ଳୀ: ଇଣ୍ଡିଆନ୍ ନେସ୍ନାଲ୍ ଲୋକଦଳର ହରିଆଣା ୟୁନିଟ୍ ସଭାପତି ତଥା ପୂର୍ବତନ ବିଧାୟକ ଓ ଜଣେ ଦଳୀୟ କର୍ମୀ ଥିବା ରାଜନେତା ନଫେ ସିଂହ ରାଠୀଙ୍କୁ ଗତକାଲି ହତ୍ୟା କରାଯାଇଥିଲା।
ରାଜନେତା ନଫେ ସିଂହ ରାଠୀଙ୍କ ହତ୍ୟାପରେ ତାଙ୍କ ପୁଅ ଭୁପେନ୍ଦ୍ର ରାଠୀ ବାପାଙ୍କ ଶବ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଇଛନ୍ତି। ଭୁପେନ୍ଦ୍ର ରାଠୀ ସରକାରଙ୍କୁ ଦାବି କରି କହିଛନ୍ତି, ‘ମୋ ବାପା ଅନେକ ଥର ଅଞ୍ଚଳର ଏସପି ଅର୍ପିତ ଜୈନଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ। ଏହାପରେ ବି ବାପାଙ୍କୁ ସୁରକ୍ଷା ଦିଆଯାଇ ନଥିଲା। ମୁଁ ନିଜେ ବାପାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲି। ସେ ବାପାଙ୍କୁ ସୁରକ୍ଷା ଦେବେ ବୋଲି କଥା ଦେଇଥିଲେ। କିନ୍ତୁ କୌଣସି ପ୍ରକାର ସୁରକ୍ଷା ଦିଆ ନଯିବାରୁ ମୋ ବାପାଙ୍କୁ ହତ୍ୟା କରି ଦିଆଗଲା। ଦଳର ସଭାପତି ଯଦି ସୁରକ୍ଷିତ ନୁହନ୍ତି ସାଧାରଣଲୋକଙ୍କ ଜୀବନ ପ୍ରତି କେତେ ବିପଦ ରହିଛି ତାହା ଆପଣମାନେ ସ୍ପଷ୍ଟ ଭାବେ ଅନୁମାନ କରି ପାରୁଥିବେ।
ତେଣୁ ଯେପର୍ଯ୍ୟନ୍ତ ବାପାଙ୍କ ହତ୍ୟାକାରୀକୁ ଗିରଫ କରାଯାଇନାହିଁ ସେପର୍ଯ୍ୟନ୍ତ ମୁଁ ବାପାଙ୍କ ଶବର ବ୍ୟବଚ୍ଛେଦ କରିବି ନାହିଁ କି ଅନ୍ତିମ ସଂସ୍କାର ବି କରିବି ନାହିଁ।’
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ନିକଟସ୍ଥ ବାହାଦୁରଗଡ଼ରେ ରାଜନେତା ଜଣକ ତାଙ୍କ ଏସ୍ୟୁଭି ନେଇ ଯାଉଥିଲେ। ସେତିକି ବେଳେ କିଛି ଅଜଣା ବ୍ୟକ୍ତି ଆସି ତାଙ୍କ ଗାଡ଼ିକୁ ଗୁଳି ମାରିଥିବାରୁ ୬୭ ବର୍ଷୀୟ ରାଜନେତା ନଫେ ସିଂହ ରାଠୀଙ୍କ ମୃତ୍ୟୁ ହୋଇଥିଲା।’