ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍ ଗତଶନିବାର ରାତିରେ ବେଙ୍ଗାଲୁରୁରେ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା। ନାଗଭୂଷଣଙ୍କ କାର୍ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆହତ ସ୍ବାମୀ ଚିକିତ୍ସାଧୀନ ଅଛନ୍ତି।
ଏହି ଘଟଣାରେ ପୁଲିସ ନାଗଭୂଷଣଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ତେବେ ଗିରଫର କିଛିଘଣ୍ଟା ପରେ ଥାନାରୁ ନାଗଭୂଷଣଙ୍କୁ ଜାମିନ ମିଳିଯାଇଥିବା ଖବର ମିଳିଛି। ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ଅଭିନେତାଙ୍କ ବିରୋଧରେ ଦ୍ରୁତ ତଥା ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ମାମଲା ରୁଜୁ କରିଥିଲା।
ଏଥିସହିତ ଡିସିପି ଶିବପ୍ରକାଶ ଦେବରାଜ କହିଛନ୍ତି, ‘ନାଗଭୂଷଣଙ୍କୁ ବିଚାରପତିଙ୍କ ସମ୍ମୁଖରେ ଛିଡ଼ା କରାଯିବ ନାହିଁ। କାରଣ ଏହା ହିଟ-ଆଣ୍ଡ-ରନ ଘଟଣା ନୁହେଁ। ଏହା ଏକ ଦୁର୍ଘଟଣା। ତେଣୁ ଅଭିନେତାଙ୍କୁ ପୁଲିସ ଷ୍ଟେସନରୁ ହିଁ ଜାମିନ ପ୍ରଦାନ କରାଯାଇଛି।
ସୂଚନାଅନୁସାରେ, ଗତଶନିବାର ରାତି ପ୍ରାୟ ୯.୪୫ରେ ନାଗଭୂଷଣ କାର୍ ଚଳାଇ ଉତ୍ତରହାଲ୍ଲିରୁ କୋନାନାକୁନ୍ତେ ଆଡ଼କୁ ଯାଉଥିଲେ। ଏହି ସମୟରେ ବସନ୍ତପୁର ମୁଖ୍ୟରାସ୍ତାର ‘ଫୁଟ୍ପାଥ୍’ରେ ଚାଲିଚାଲି ଯାଉଥିବା ଦମ୍ପତିଙ୍କ ଉପରକୁ ନାଗଭୂଷଣ କାର୍ ଚଢ଼ାଇ ଦେଇଥିଲେ।
କାର୍ ଧକ୍କାରେ ଆହତ ହେବା ପରେ ନାଗଭୂଷଣ ନିଜେ ଦମ୍ପତିଙ୍କୁ ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ବାଟରେ ସ୍ତ୍ରୀ ୪୮ ବର୍ଷୀୟ ପ୍ରେମାଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮ ବର୍ଷିୟ ସ୍ବାମୀ କ୍ରିଷ୍ଣାଙ୍କର ୨ ଗୋଡ଼, ମୁଣ୍ଡ ଓ ପେଟରେ ଆଘାତ ଲାଗିଥିଲା। ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ବି ସଙ୍କଟାପର୍ଣ୍ଣ ଥିବା ଡାକ୍ତର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/6452d1bc-969e-46d5-82ee-575ffa148bd9.jpg)