କୁକୁର ମାଂସ ବିକ୍ରୟ ଓ ଭକ୍ଷଣ ନିଷେଧ କଲେ ନାଗାଲାଣ୍ଡ୍ ସରକାର

କୋହିମା: ଶୁକ୍ରବାର ଦିନ ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ  କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ ରନ୍ଧା ଓ କଞ୍ଚା କୁକୁର ମାଂସ ବିକ୍ରୟ ନିଷେଧ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଇବା ପାଇଁ ଅନ୍ୟ ରାଜ୍ୟରୁ କୁକୁର ଆମଦାନି କରିବାର ବିପଦ କଥା ବିଚାର କରି ଏବଂ ପ୍ରିଭେନ୍‌ସନ୍ ଅଫ୍ କ୍ରୁଏଲିଟି ଟୁ ଆନିମଲ୍ସ୍ ଆକ୍ଟ, ୧୯୬୦କୁ ଆଧାର କରି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି।

Image Courtesy of India Today

ନାଗାଲାଣ୍ଡ୍‌ରେ କୁକୁର ମାଂସ ବ୍ୟବସାୟ ବେଆଇନ୍ କରାଯାଇଥିବାରୁ ଏହି ଆଇନ ଅମାନ୍ୟ କ‌ଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଇଛି।

ଏହାଛଡ଼ା, ବାଣିଜ୍ୟିକ ଘୁଷୁରି ଆମଦାନି ଏବଂ ବ୍ୟବସାୟକୁ ମଧ୍ୟ ତୁରନ୍ତ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ସ୍ବାଇନ୍ ଫ୍ଲୁ ବ୍ୟାପିବା ପରଠାରୁ ରାଜ୍ୟ ଘୁଷୁରି ଆମଦାନି ବନ୍ଦ କରିଥିଲା। କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, କୁକୁର ମାଂସ ବ୍ୟବହାର ସମ୍ବନ୍ଧରେ ପ୍ରାଣୀ ଅଧିକାରକର୍ମୀମାନେ ରାଜ୍ୟ ସରକାରଙ୍କୁ ୨୦୧୬ରେ ଲିଗାଲ୍ ନୋଟିସ୍ ପଠାଇଥିଲେ।

ସମ୍ବନ୍ଧିତ ଖବର