୨୦୦ ସହରରେ କାର୍ଯ୍ୟକାରୀ ହେବ ‘ନଗର ବନ’

ନୂଆଦିଲ୍ଲୀ : ‘ ବିଶ୍ବ ପରିବେଶ ଦିବସ’ ଅବସରରେ କେନ୍ଦ୍ର ସରକାର ଆଜି ୨୦୦ ସହରରେ ଆଗାମୀ ୫ ବର୍ଷ ମଧ୍ୟରେ ‘ନଗର ବନ’ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ଜନସାଧାରଣ, ଜଙ୍ଗଲ ବିଭାଗ, ପୌରସଂସ୍ଥା, ‌ସ୍ବେଚ୍ଛାସେବୀ ସଂଗଠନ, ବାଣିଜ୍ୟିକ ସଂସ୍ଥା ଏବଂ ସାଧାରଣ ନାଗରିକଙ୍କ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ବିଶ୍ବ ପରିବେଶ ଦିବସ ପ୍ରତିବର୍ଷ ଜୁନ୍‌ ୫ ତାରିଖ ଦିନ ପାଳିତ ହୋଇଥାଏ । କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ବାର୍ତ୍ତାକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାଏ। କୋଭିଡ–୧୯ ବୈଶ୍ବିକ ମହାମାରୀ ପରିପ୍ରେକ୍ଷୀରେ ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ମନ୍ତ୍ରାଳୟ ନଗର ବନ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହ ନଗର ବନ ଯୋଜନା ସମ୍ପର୍କରେ ଘୋଷଣା କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏହି ଜଙ୍ଗଲ ପୌରପାଳିକା ଦ୍ବାରା ଯୋଗାଯାଉଥିବା ଖାଲି ପଡ଼ିଥିବା ଜାଗାରେ ସୃଷ୍ଟି ହେବ । ଏହା ଜନସାଧାରଣଙ୍କ ନିମନ୍ତେ ଅମ୍ଳଜାନ ସଦୃଶ କାର୍ଯ୍ୟ କରିବ । ଚଳିତ ବର୍ଷର ବିଷୟବସ୍ତୁ ପ୍ରକୃତି ଓ ଜୈବ ବିବିଧତା ଉପରେ ପ୍ରାଧାନ୍ୟ ଦେଇ ସେ କହିଛନ୍ତି ଯେ, ଆମେ ପ୍ରକୃତିର ଯତ୍ନ ନେଲେ ପ୍ରକୃତି ମଧ୍ୟ ଆମର ସୁରକ୍ଷା ନେବ ।

ସମ୍ବନ୍ଧିତ ଖବର