ମୋ ସ୍ବାମୀଙ୍କୁ ସେମାନେ ମାରୁଥିଲେ; ମୁଁ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଥିଲି, କେହି ଆସିଲେନି ଦୂରରେ ଠିଆହୋଇ ଭିଡିଓ କଲେ…

ହାଇଦ୍ରାବାଦ୍ : ମଣିଷ ମାନବିକତା ହରାଇ ବସୁଛି? ହାଇଦ୍ରାବାଦରେ ଘଟିଥିବା ଘଟଣା ଏହା ହିଁ ଇଙ୍ଗିତ କରୁଛି। ଏକ ବ୍ୟସ୍ତବହୁଳ ରାସ୍ତାରେ ସମସ୍ତଙ୍କ ଆଖି ସାମ୍ନାରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଉଛି କିନ୍ତୁ କେହି ବି ମୁହଁ ଖୋଲୁ ନାହାନ୍ତି। ବରଂ ଘଟଣାର ଭିଡିଓ ଉତ୍ତୋଳନ କରୁଛନ୍ତି। ସାହାଯ୍ୟ ଲାଗି ଜଣେ ମହିଳାର ଆକୁଳ ଚିତ୍କାର କାହାର କାନକୁ ପହଞ୍ଚୁନାହିଁ।

ଏଭଳି ଦୁଃଖଦ ତଥା ଅମାନବୀୟ ଘଟଣାର ସାକ୍ଷୀ ହେଉଛନ୍ତି ୨୧ ବର୍ଷୀୟ ସୁଲତାନା। ସେ କାନ୍ଦିକାନ୍ଦି କହନ୍ତି, ‘‘ ମୁଁ ଓ ମୋ ସ୍ବାମୀ ବି.ନାଗାରାଜୁ ଏକ ବାଇକରେ ଯାଉଥିଲୁ। ହଠାତ ଦୁଇଟି ବାଇକରେ କେତେଜଣ ଯୁବକ ଆସିଲେ ଓ ମୋ ସ୍ବାମୀଙ୍କୁ ଠେଲିଦେଲେ। ସେ ରାସ୍ତା ଉପରେ ପଡ଼ିଗଲେ। ତା’ପରେ ସେମାନେ ଲୁହାରଡରେ ଅତ୍ୟନ୍ତ ନିର୍ମମ ଭାବେ ମୋ ସ୍ବାମୀଙ୍କ ମୁଣ୍ଡକୁ ପିଟି ଚାଲିଲେ। ମୁଁ ଚିତ୍କାର କରି ସାହାଯ୍ୟ ମାଗୁଥିଲି କିନ୍ତ କେହି ଜଣେ ବି ପାଖକୁ ଆସିଲେ ନାହିଁ। ସମସ୍ତେ ଦୂରକୁ ପଳାଇଗଲେ। କେତେ ଜଣ ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ କଲେ। ଯଦି କିଛି ଲୋକ ବାହାରି ଆସିଥାନ୍ତେ ତେବେ ମୋ ସ୍ବାମୀ ବଞ୍ଚିଯାଇଥାନ୍ତେ। ’’

ବିବାହ ପରେ ସୁଲତାନା ଓ ନାଗରାଜୁ (  www.indiatoday.in )

ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ରାସ୍ତାରେ ତାଙ୍କ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ସୟଦ ଆଶ୍ରିନ୍ ସୁଲତାନା କହିଛନ୍ତି ଯେ ହତ୍ୟାକାରୀମାନେ ତାଙ୍କ ଭାଇ ଏବଂ ସମ୍ପର୍କୀୟ। ଯେହେତୁ ସେ ଜଣେ ମୁସଲିମ୍ ପରିବାରର ଝିଅ ହୋଇ ଜଣେ ହିନ୍ଦୁ ପୁଅକୁ ବିବାହ କଲେ ତେଣୁ ପ୍ରତିକ୍ରିୟାଶୀଳ ହୋଇ ତାଙ୍କ ନିଜ ଭାଇ ଓ ସଂପର୍କୀୟ ଏପରି ଅମାନୁଷିକ କାଣ୍ଡ ଘଟାଇଲେ।

“ମୁଁ ଏବଂ ମୋର ସ୍ବାମୀ ବାଇକରେ ଯାଉଥିଲୁ। ସେ ରାସ୍ତା ପାର ହେବା ପାଇଁ ଗତି ଟିକେ ମନ୍ଥର କଲେ, ହଠାତ୍ ଦୁଇଟି ବାଇକ୍ ଆସିଲା। ମୁଁ ଜାଣି ନଥିଲି ଯେ ମୋ ଭାଇ ସେଇ ବାଇକରେ ଥିଲେ। ସେମାନେ ମୋ ସ୍ୱାମୀଙ୍କୁ ଠେଲିଦେଲେ, ସେ ତଳେ ପଡ଼ିଗଲେ। ମୁଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ମୋର ଭାଇର ବନ୍ଧୁମାନେ ମୋତେ ଠେଲି ଦେଇଥିଲେ। ମୁଁ ସାହାଯ୍ୟ ପାଇଁ ଚିତ୍କାର କଲି କିନ୍ତୁ ଲୋକମାନେ  ପାଖକୁ ନ ଆସି ଭିଡିଓ ନେଇଥିଲେ ବୋଲି ସୁଲତାନା କହନ୍ତି ।୧୦ରୁ ୧୫ମିନିଟ ଭିତରେ ସେମାନେ ମୋ ସ୍ବାମୀଙ୍କ ମୁଣ୍ଡକୁ ୩୦ରୁ ୩୫ ଥର ଲୁହାରଡ ଓ ଠେଙ୍ଗାରେ ପିଟିଥିଲେ। ଯେତେବେଳେ ସେ ନିଶ୍ଚଳ ହୋଇଗଲେ ଏବଂ ମୁଁ ତାଙ୍କ ମୁଣ୍ଡକୁ ଛୁଇଁଲି, ମୋର ହାତ ତାଙ୍କ ମସ୍ତିଷ୍କ ଭିତରକୁ ପଶି ଯାଇଥିଲା। ” ସୁଲତାନା ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ସେ ଲୋକଙ୍କୁ ସାହାଯ୍ୟ ମାଗି ମୂଲ୍ୟବାନ ସମୟ ନଷ୍ଟ କରିଦେଇଛନ୍ତି, ଯାହା କେବେ ଆସିବନାହିଁ |

ସୁଲତାନା ତାଙ୍କ ପରିବାରର ନିଷ୍ପତ୍ତିକୁ ଅମାନ୍ୟ କରି ଜାନୁଆରୀ ୩୧ରେ ୨୫ବର୍ଷ ବୟସ୍କ କାର କମ୍ପାନିର ସେଲ୍ସମ୍ୟାନ୍ ନାଗାରାଜୁଙ୍କୁ ବିବାହ କରିଥିଲେ। ସ୍କୁଲରୁ ସେମାନେ ପରସ୍ପରକୁ ଜାଣିଥିଲେ ଓ ଭଲ ପାଉଥିଲେ।

ସମ୍ବନ୍ଧିତ ଖବର