ଅଦାଲତ ଅବମାନନା ମାମଲା: ନାଗେଶ୍ବର ଦୋଷୀ, ଦିନସାରା କୋର୍ଟରେ ବସିଲେ

୧ ଲକ୍ଷ ଟଙ୍କା ଜରିମାନା, ୪ଟା ପୂର୍ବରୁ ଉଠିବାରୁ ଭର୍ତ୍ସନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲ‌ାରେ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦେଶକ ନାଗେଶ୍ବର ରାଓଙ୍କୁ ସୁପ୍ରିମ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦିନସାରା କୋର୍ଟ ରୁମରେ ବସାଇ ରଖିଲେ। କିନ୍ତୁ କୋର୍ଟ କାମ ଶେଷ ହେବା ପୂର୍ବରୁ ‌େସ ବାହାରିବାକୁ ଚେଷ୍ଟା କରିବାରୁ କୋର୍ଟ ତାଙ୍କର ଭର୍ତ୍ସନା କଲେ। ଫଳରେ ତାଙ୍କୁ କୋର୍ଟ ରୁମ‌ର ଗୋଟିଏ କୋଣରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବସି ରହିବାକୁ ପଡ଼ିିଲା। ତାଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନାରେ ମଧ୍ୟ ଦଣ୍ଡିତ କରାଯାଇଛି। ମୁଜାଫରପୁର ଆଶ୍ରୟ ସ୍ଥଳ ମାମଲାର ଯାଞ୍ଚ କରୁଥିବା ତଦନ୍ତକାରୀ ଟିମ୍‌ର ସଦସ୍ୟ ତଥା ସିବିଅ‌ାଇର ଯୁଗ୍ମ ନିର୍ଦେଶକ ଅରୁଣ କୁମାର ଶର୍ମାଙ୍କୁ ୧୭ ଜାନୁଆରିରେ ସିଆର୍‌ପିଏଫ୍‌କୁ ବଦଳି କରିଥିଲେ ରାଓ। ସୁପ୍ରିମ କୋର୍ଟର ବିନା ଅନୁମତିରେ କୌଣସି ତଦନ୍ତକାରୀ ଅଧିକାରୀଙ୍କୁ ବଦଳି କରାଯାଇ ପାରିବ ନାହିଁ ବୋଲି ନିର୍ଦେଶ ଥିଲେ ମଧ୍ୟ ଏହାର ଉଲ୍ଲଂଘନ କରି ନାଗେଶ୍ବର ରାଓ ତାଙ୍କର ବଦଳି କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ସୁପ୍ରିମ କୋର୍ଟ ତାଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ନାଗେଶ୍ବର ଆଜି ଏକ ସତ୍ୟପାଠ ଦାଖଲ କରି ନିଃସର୍ତ କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ମାମଲାର ବିଚାର କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବେଞ୍ଚ ତାଙ୍କର କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଜଷ୍ଟିସ‌ ଗୋଗୋଇ ତାଙ୍କର ତୀବ୍ର ଭର୍ତ୍ସନା କରି କହିଥିଲେ ଯେ ରାଓ ଜାଣିଶୁଣି ଆଦେଶର ଅବମାନନା କରିଛନ୍ତି। ଏହା ଆଦୌ କ୍ଷମଣୀୟ ନୁହେଁ। ତାଙ୍କ ପାଇଁ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଯୁକ୍ତି କରିବାରୁ ଜଷ୍ଟିସ ଗୋଗୋଇ କହିଥିଲେ ଦୋଷୀକୁ ସରକାରୀ ପଇସାରେ ସୁରକ୍ଷା ଦିଆନଯାଉ।

ଏମିତି ଦଣ୍ଡ ମିଳିଲେ ରାଓଙ୍କ କ୍ୟାରିଅରରେ ଦାଗ ଲାଗିଯିବ ବୋଲି ବେଣୁଗୋପାଳ କହିବାରୁ ଜଷ୍ଟିସ ଗୋଗୋଇ କହିଲେ, ସେ ଦାଗୀ। କାରଣ ରାଓ ନିଜେ ଦୋଷ ସ୍ବୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି। ଜଷ୍ଟିସ ଗୋଗୋଇ କହିଥିଲେ ଯେ ଗତ ୨୦ ବର୍ଷ ଧରି ସେ ଅଦାଲତ ଅବମାନନା ମାମଲାରେ କାହାରିକୁ ଦୋଷୀ ସାବ୍ୟସ୍ତ କରିନଥିଲେ। କିନ୍ତୁ ରାଓ ଯେଉଁ ଢଙ୍ଗରେ କାମ କରିଛନ୍ତି ତାହା କ୍ଷମଣୀୟ ନୁହେଁ। ରାଓଙ୍କ ସହିତ ସିବିଆଇର ଆଇନ ପରାମର୍ଶଦାତା ବାସୁରାମଙ୍କୁ ମଧ୍ୟ ସମାନ ଭାବେ ଦଣ୍ଡିତ କରାଯାଇଥିଲା। ଜଷ୍ଟିସ ଗୋଗୋଇ କହିଥିଲେ ଯେ ଏହି ମାମଲାରେ ସେମାନଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରିବ। ତେବେ ସେମାନଙ୍କୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋର୍ଟ ରୁମର ଗୋଟିଏ କୋଣରେ ବସି ରହିବାକୁ କହିଥିଲେ। ସାଢେ ତିନିଟା ବେଳେ ରାଓ ଉଠିଯିବ‌ାକୁ ଅନୁମତି ଲୋଡ଼ିବାରୁ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। କହିଥିଲେ ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ପର୍ଯ୍ୟନ୍ତ ତାଙ୍କୁ ଏମିତି କୋର୍ଟ ଭିତରେ‌ ବସାଇ ଦିଆଯିବ। ଏହାପରେ ରାଓ କୋର୍ଟ ଭିତରେ ୪ଟା ପର୍ଯ୍ୟନ୍ତ ବସି ରହିଥିଲେ। ଏପରିକି ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରକୁ ଯାଇନଥିଲେ। କେତେକ ସରକାରୀ ଓକିଲ ସେମାନଙ୍କ ପାଇଁ ବିସ୍କୁଟ ଏବଂ ନୁଟ୍ରି ବାର ଆଣି ଖାଇବାକୁ ଦେଇଥିଲେ।

ସମ୍ବନ୍ଧିତ ଖବର