ନାଗପୁର: ନାଗପୁର ହିଂସା ମାମଲାରେ ପୁଲିସ୍ ବୁଧବାର ଦିନ ସଂଖ୍ୟାଲଘୁ ଡେମୋକ୍ରାଟିକ୍ ଦଳ (ଏମଡିପି) )ର ସ୍ଥାନୀୟ ନେତା ଫହିମ୍ ଶାମିମ୍ ଖାନଙ୍କୁ ଗିରଫ କରିଛି। ତାଙ୍କୁ ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖାଯାଇଛି।
ମାର୍ଚ ୧୭ ତାରିଖରେ ସହରରେ ଘଟିଥିବା ସାମ୍ପ୍ରଦାୟିକ ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ଆଣି ପୂର୍ବରୁ ଫହିମ୍ ଶାମିମ୍ ଖାନଙ୍କର ଏକ ଫଟୋ ଜାରି କରିଥିଲା। ଉପୁଜିଥିବା ସାମ୍ପ୍ରଦାୟିକ ହିଂସାରେ ଅନେକ ଲୋକ ଆହତ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ମାଷ୍ଟର୍ମାଇଣ୍ଡ୍ର ଟେର୍ ପାଇଥିଲା।
ଗଣେଶପେଠ ପୁଲିସ ଷ୍ଟେସନରେ ପଞ୍ଜିକୃତ ଏକ ଏଫଆଇଆରରେ ଖାନଙ୍କ ନାମ ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ ହେବାର କିଛି ଘଣ୍ଟା ପରେ ତାଙ୍କ ଗିରଫଦାରୀ ହୋଇଛି। ଆଜି ସକାଳୁ ପୁଲିସ ତାଙ୍କର ଫଟୋ ଏବଂ ଏକ ଭିଡିଓ ପ୍ରକାଶ କରିଥିଲା। ଯେଉଁଥିରେ ଖାନ ହିଂସା ଆରମ୍ଭ ହେବାର କିଛି ମୁହୂର୍ତ୍ତ ପୂର୍ବରୁ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବା ଦେଖାଯାଇଥିଲା।
ଫହିମ ଖାନ ୨୦୨୪ ଲୋକସଭା ନିର୍ବାଚନରେ ନାଗପୁର ନିର୍ବାଚନମଣ୍ଡଳୀରୁ ସଂଖ୍ୟାଲଘୁ ଡେମୋକ୍ରାଟିକ୍ ପାର୍ଟିର ପ୍ରତିନିଧିତ୍ୱ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ୬.୫ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ।