ନୂଆଦିଲ୍ଲୀ: କାର୍ଗିଲର ହୁଣ୍ଡରମାନ ଗାଁରୁ ନିୟନ୍ତ୍ରଣ ରେଖା (ଏଲ୍ଓସି) ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ନାଗପୁର ମହିଳା ସୁନୀତା ଜାମଗଡେଙ୍କୁ ଶନିବାର ପାକିସ୍ତାନୀ ଅଧିକାରୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ୪୩ ବର୍ଷୀୟା ସୁନୀତା ମେ ୧୪ ତାରିଖରେ ନିଖୋଜ ଥିବା ଜଣାପଡ଼ିଥିଲା। ୧୦ ଦିନ ତଳେ ସେ ନିଜ ପୁଅକୁ ଛାଡ଼ି ସୀମା ଅତିକ୍ରମ କରିଥିଲେ। ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ଜଣେ ଅଧିକାରୀ ଓ ଦୁଇ ଜଣ ମହିଳା କନଷ୍ଟେବଳଙ୍କୁ ନେଇ ଏକ ଟିମ୍ ଅମୃତସର ଯାଇଛି ବୋଲି ଡିସିପି (ଜୋନ୍-୫) ନିକେତନ କଦମ କହିଛନ୍ତି।
ସୀମା ଅତିକ୍ରମ କରିବା ପରେ ପାକିସ୍ତାନ ସେନା ସୁନୀତାଙ୍କୁ ଧରିଥିଲା। ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ହସ୍ତାନ୍ତର କରିଥିବା ବେଳେ ବିଏସ୍ଏଫ୍ ମହିଳାଙ୍କୁ ଅମୃତସର ପୁଲିସକୁ ହସ୍ତାନ୍ତର କରିଛି। ମହିଳା ଜଣକ ଗୁପ୍ତଚରଗିରି କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ କି ନାହିଁ ତାହା ଯାଞ୍ଚ କରାଯିବ ବୋଲି ପୁଲିସ କହିଛି। ଲଦାଖର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଡକ୍ଟର ଏସ୍ଡି ସିଂହ ଜାମୱାଲ କହିଛନ୍ତି ଯେ ସୁନୀତା ନିଖୋଜ ହେବା ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ସହ ଯୋଗାଯୋଗରେ ଥିଲେ। ଅଜାଣତରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ କରୁଥିବା ବ୍ୟକ୍ତିଙ୍କ ଆଦାନପ୍ରଦାନ ଏକ ନିତିଦିନିଆ ପ୍ରକ୍ରିୟା। ସାଧାରଣତଃ ଫ୍ଲାଗ୍ ମିଟିଂ ଓ ବିଏସ୍ଏଫ୍ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ଯୋଗାଯୋଗ ମାଧ୍ୟମରେ ଏଭଳି ମାମଲାର ସମାଧାନ ହୋଇଥାଏ।