ନୂଆଦିଲ୍ଲୀ: ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି। ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ତେବେ ଏଥର ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି | ତେବେ ଉପରାଷ୍ଟ୍ରପତି ଭାବରେ ପୁଣି ଥରେ ଭେଙ୍କୟାଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଧନଖଡଙ୍କ ନାମ ଘୋଷଣା କରି ବିଜେପି ଏହି ଚର୍ଚ୍ଚାରେ ବିରାମ ଲଗାଇଛି |
ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ୧୯୬୦ ମସିହାରେ ଏକ ଜନସଭାରେ ତତ୍କାଳୀନ ଜନସଂଘର ନେତା ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ଶୁଣିବା ପରେ ସେ ଏବିଭିପିରେ ଯୋଗ ଦେଇଥିଲେ | ସେ ଦଳ ପାଇଁ ପୋଷ୍ଟର ଲଗାଇବା କାର୍ଯ୍ୟ କରିଥିଲେ ଏବଂ ବିଜେପିର ଜଣେ ବରିଷ୍ଠ ନେତା ହେବା ସହ ସମୟକ୍ରମେ ଦେଶର ଉପରାଷ୍ଟ୍ରପତି ହୋଇଥିଲେ। ସେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ମାଧ୍ୟମରେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ ଏବଂ ଜେପି (ଜୟପ୍ରକାଶ) ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ହମିଦ ଅନସାରୀ କ୍ରମାଗତ ଦୁଇ ଥର ଉପରାଷ୍ଟ୍ରପତି ପଦବୀରେ ରହିଆସିଥିବାବେଳେ ଏଥର ନାଇଡୁ ଏହି ରେସରୁ ବାଦ ପଡିଛନ୍ତି । ନାଇଡୁ ଦୀର୍ଘ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ତେବେ ସେ କେବେ ବି ଲୋକସଭା ସଦସ୍ୟ ନଥିଲେ। ନାଇଡୁ ଆନ୍ଧ୍ରପ୍ରଦେଶ ବିଧାନସଭାର ଦୁଇଥର ସଦସ୍ୟ ରହିଥିଲେ।