ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦାବି:ଦିଲ୍ଲୀରେ ନାଇଡ଼ୁଙ୍କ ଅନଶନ: ପରେ ଭାଙ୍ଗିଲେ

ନୂଆଦିଲ୍ଲୀ : ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦାବିରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଦିଲ୍ଲୀରେ ଦିନିକିଆ ଅନଶନ କରି ପରେ ଭାଙ୍ଗିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆନ୍ଧ୍ରପ୍ରଦେଶରେ ରାଲି କରି ନାଇଡ଼ୁଙ୍କ ବିରୋଧରେ ଗର୍ଜିଥିବାବେଳେ  ନାଇଡ଼ୁଙ୍କ ଅନଶନ ସ୍ଥଳରେ ସମସ୍ତ ବିରୋଧୀ ଦଳ ନେତାମାନେ ଏକଜୁଟ୍‌ ହୋଇ ମୋଦୀଙ୍କ ବିରୋଧରେ ଗର୍ଜିଛନ୍ତି। ୨୦୧୪ ମସିହାରେ ଆନ୍ଧ୍ରପଦେଶରୁ ତେଲେଙ୍ଗାନା ଅଲଗା ହେବାବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନି। ଏହି ପ୍ରତିଶ୍ରୁତି ପୂରଣ କରିବାପାଇଁ  ନା‌ଇଡ଼ୁ ଦିନିକିଆ ଅନଶନରେ ବସିଛନ୍ତି। ଅନଶନ ସ୍ଥଳରେ ନାଇଡ଼ୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ କଥାକୁ ମନେ ପକାଇ କହିଛନ୍ତି ଯେ ମୋଦୀ ଆନ୍ଧ୍ରପ୍ରଦେଶରେ ରାଜଧର୍ମ ପାଳନ କରୁନାହାନ୍ତି। ଆମର ପ୍ରାପ୍ତ ଅଧିକାରରୁ ଆମକୁ ବଞ୍ଚିତ କରାଯାଉଛି। ଯଦି ଆମ ଅଧିକାରରୁ ଆମକୁ ବଞ୍ଚିତ କରାଯାଏ ତେବେ ଏହା କେମିତି ଆମେ ହାସଲ କରିବୁ ତାହା ମଧ୍ୟ ଆମକୁ ଭଲ ଭାବେ ଜଣା ବୋଲି ନାଇଡ଼ୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୦୨ ଗୁଜରାଟ ଦଙ୍ଗା ସମୟରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ କହିଥିଲେ ଯେ ଗୁଜରାଟରେ ରାଜଧର୍ମ ପାଳନ କରାଯାଉନି।  ସେହି କଥାକୁ ମନେ ପକାଇ ନାଇଡ଼ୁ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମଧ୍ୟ ରାଜଧର୍ମ ପାଳନ ‌ହେଉନି।
ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ  ଦିଲ୍ଲୀ ସ୍ଥିତ ଆନ୍ଧ୍ରପ୍ରଦେଶ ଭବନ ଠାରେ ତାଙ୍କ ‘ ଧର୍ମ ପୋରତ ଦୀକ୍ଷା’ ( ନ୍ୟାୟ ପାଇଁ ଦିନିକିଆ ଆନ୍ଦୋଳନ) ଆରମ୍ଭ କରିଛନ୍ତି। ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ନାଇଡ଼ୁ ତାଙ୍କ ଦିନିକିଆ ଅନଶନ ଆରମ୍ଭ କରିଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନାଇଡ଼ୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବେ।

କେନ୍ଦ୍ର ବିରୋଧରେ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ : ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦାବିରେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଥିଲେ। ନାଇଡ଼ୁଙ୍କ ଅନଶନ ସ୍ଥଳ  ବିରୋଧୀମାନଙ୍କ ପାଇଁ ଏକ ରୢାଲି ସ୍ଥଳ ପାଲଟିଛି । ବିରୋଧୀ ଦଳ ନେତାମାନେ  ନାଇଡ଼ୁଙ୍କ ଅନଶନ ସ୍ଥଳରେ ମେଳି ହୋଇ କେନ୍ଦ୍ର ଏବଂ ମୋଦୀ ସରକାର ବିରୋଧରେ ଗର୍ଜିଛନ୍ତି। ପ୍ରମୁଖ ବିରୋଧୀ ଦଳ ନେତାମାନେ  ନାଇଡ଼ୁଙ୍କ ଅନଶନକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବାପାଇଁ ନାଇଡ଼ୁଙ୍କ ଅନଶନ ସ୍ଥଳକୁ ଏକ ମଞ୍ଚ ଭାବେ ବ୍ୟବହାର କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା, ଏନ୍‌ସିପିର ମଜିଦ୍‌ ମେମନ୍‌, ଟିଏମ୍‌ସିର ଡେରେକ୍‌ ଓବ୍ରିଏନ୍‌, ଡିଏମ୍‌କେର ତିରୁଚି ଶିବ ଏବଂ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌  ନାଇଡ଼ୁଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି।
ଆନ୍ଧ୍ର ଭବନ‌ ବାହାରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ  ଦିଲ୍ଲୀ ସ୍ଥିତ ଆନ୍ଧ୍ର ଭବନରେ ଦିନିକିଆ ଅନଶନରେ ବସିଥିବାବେଳେ ୪୦ ବର୍ଷୀୟ ଦିବ୍ୟାଙ୍ଗ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଯୁବକଙ୍କ ଆତ୍ମହତ୍ୟା କରିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ହ୍ବିଲ୍‌ ଚେୟାର ଉପ‌ରେ ବସି ବିଷ ପିଇ ଆତ୍ମହତ୍ୟା କରିଥିବା ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଆର୍ଥିକ ସଙ୍କଟ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଉକ୍ତ ଚିଠିରେ ସେ ଦର୍ଶାଇଛନ୍ତି। ଆତ୍ମହତ୍ୟା କରିଥିବା ଉକ୍ତ ବ୍ୟକ୍ତି ଜଣଙ୍କ ଶ୍ରିକା‌କୁଲମ୍‌ ଜିଲ୍ଲାର କିନ୍ଥାଲି ବା‌ସିନ୍ଦା ବୋଲି ଜଣାପଡ଼ିଛି। ତାଙ୍କ ନାଁ ଡାବଲ ଅର୍ଜୁନ ରାଓ। ପୁଲିସ ଉକ୍ତ ଘଟଣାରେ ଏବେ ତଦନ୍ତ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର