ଅହମଦାବାଦ: ମୋର୍ବି ଝୁଲାପୋଲ ଭୁଶୁଡ଼ି ପଡ଼ିବା ହେତୁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଯେଉଁମାନଙ୍କର ଭାଗ୍ୟ ଟାଣ ଥିଲା ସେମାନେ ବର୍ତ୍ତି ଯାଇଛନ୍ତି। ନଇମ ଶେଖ ନାମକ ଜଣେ ଯୁବକ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ଦୁର୍ଘଟଣା ପରେ ନଇମ ହିରୋ ପାଲଟିଯାଇଛନ୍ତି। ନଇମ ଶେଖ ପୋଲ ଭୁଶୁଡ଼ିବା ସମୟରେ ପୋଲ ଉପରେ ଥିଲେ। ସେ ନଦୀଗର୍ଭକୁ ଖସି ଯାଇଥିଲେ। କିନ୍ତୁ ପହଁରା ଜାଣିଥିବାରୁ ନଇମ ବଞ୍ଚିଗଲେ। ତେବେ ନଇମ କେବଳ ନିଜ ଜୀବନ ବଞ୍ଚାଇନାହାନ୍ତି। ସେ ତାଙ୍କର ଜଣେ ବନ୍ଧୁଙ୍କ ସହଯୋଗରେ ୫୦-୬୦ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ନଇମ ଏବେ ମୋର୍ବି ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନଇମ କହିଛନ୍ତି, ସେ ଏବଂ ତାଙ୍କର ୫ ଜଣ ସାଙ୍ଗ ବ୍ରିଜ୍ ଉପରେ ଥିବାବେଳେ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟବଶତଃ ୫ ଜଣ ବଞ୍ଚି ଯାଇଥିଲେ। କିନ୍ତୁ ତାଙ୍କର ଅନ୍ୟ ଜଣେ ସାଙ୍ଗଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ନଇମ ଏତେ ଲୋକଙ୍କୁ ବଞ୍ଚାଇ ଥିଲେ ବି ନିଜ ସାଙ୍ଗକୁ ବଞ୍ଚାଇ ପାରିନଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp