ଉଲଗ୍ନ ହୋଇ ଲୋକଙ୍କ ଡୋରବେଲ୍ ବଜାଉଛନ୍ତି ମହିଳା, ଲୋକେ ଭୟଭୀତ

ରାମପୁର(ଉତ୍ତରପ୍ରଦେଶ): ଉଲଗ୍ନ ହୋଇ ଲୋକଙ୍କ ଡୋରବେଲ ବଜାଉଛନ୍ତି ମହିଳା। ଉତ୍ତରପ୍ରଦେଶର ରାମପୁରରେ ଘଟିଛି ଏଭଳି ଘଟଣା। ଗତ କିଛି ଦିନ ହେବ ଏହି ଘଟଣା ଘଟୁଥିବା ବେଳେ ରାମପୁରବାସୀ ଭୟଭୀତ ଥିବା କୁହାଯାଉଛି। ସାମ୍ନାକୁ ଆସିଥିବା ସିସିଟିଭି ଭିଡିଓରୁ ମହିଳାଜଣକ ଉଲଗ୍ନ ହୋଇ ରାତିରେ ବୁଲିବା ସହ ସମସ୍ତଙ୍କ ଡୋରବେଲ ବଜାଉଥିବା ଦେଖାଯାଇଛି। ଏହା ପରେ ସେ ସେଠାରୁ ଚାଲିଯାଉଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା। ଘଟଣାର ସତ୍ୟତା ନଜାଣି ଲୋକେ ମିଛ ପ୍ରଚାର କରୁଥିବା ବେଳେ ଏବେ ତଦନ୍ତ କରି ଅସଲ ଘଟଣା ସାମ୍ନାକୁ ଆଣିଛି ପୁଲିସ।

ଭିଡିଓ ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଥିବା ଦେଖି ପୁଲିସ ତଦନ୍ତ କରିଥିଲା। ତଦନ୍ତ ପରେ ଜଣାପଡ଼ିଥିଲା ଯେ ମହିଳାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ତେଣୁ ସେ ଏଭଳି କରୁଛନ୍ତି। ମହିଳାଙ୍କ ପରିବାର ପୁଲିସକୁ ଏହି ବୟାନ ଦେଇଛନ୍ତି। “ରାମପୁରର ମଲିକ ସହରରେ ଉଲଗ୍ନ ହୋଇ ବୁଲୁଥିବା ଜଣେ ମହିଳାଙ୍କ ରହସ୍ୟର ପର୍ଦ୍ଦାଫାସ ହୋଇଛି। ମହିଳାଙ୍କ ମାନସିକ ସମସ୍ୟା ଥିବାରୁ ସେ ଗତ ପାଞ୍ଚ ବର୍ଷ ଧରି ବରେଲି ଜିଲ୍ଲାରେ ଚିକିତ୍ସିତ ହେଉଛନ୍ତି। ସେ ଏଭଳି କରୁଥିବା ସାମ୍ନାକୁ ଆସିବା ପରେ ମହିଳାଙ୍କ ଉପରେ କଡା ନଜର ରଖିବାକୁ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁଲିସ କହିଛି।

ଏହା ସହ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭ୍ରାନ୍ତିକର ତଥ୍ୟ ନଦେବାକୁ ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ନକରିବାକୁ ପୁଲିସ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର