ସୁପ୍ରିମକୋର୍ଟରେ ନାଲକୋ ଆଲୁମିନା ବିକ୍ରି ଟେଣ୍ଡର ମାମଲା: ବେଦାନ୍ତକୁ ନୋଟିସ୍

ନୂଆଦିଲ୍ଲୀ: ନାଲକୋର ଆଲୁମିନା ବିକ୍ରି ଟେଣ୍ଡର ମାମଲାରେ ଆଜି ସୁପ୍ରିମକୋର୍ଟ ବେଦାନ୍ତକୁ ନୋଟିସ୍ ଜାରି କରିଛନ୍ତି। ନିକଟରେ ନାଲକୋ ଆଲୁମିନା ନିଲାମ ପ୍ରକ୍ରିୟାରେ ବେଦାନ୍ତ ଭାଗ ନେଇ ପାରିବ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ନାଲକୋ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲା। ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ- ବିଚାରପତି ଏନ.ଭି. ରମଣା ଓ ବିଚାରପତି ମୋହନ ଏମ. ଶାନ୍ତାନାଗଦୌରଙ୍କ ଖଣ୍ଡପୀଠ ନାଲକୋର ସ୍ବତନ୍ତ୍ର ଲିଭ୍ ପିଟିସନକୁ ଗ୍ରହଣ କରିବା ସହ ବେଦାନ୍ତକୁ ନୋଟିସ୍ କରି ଜବାବ ତଲବ କରିଛନ୍ତି। ଉଲ୍ଲେଖଯୋଗ୍ୟ ବେଦାନ୍ତକୁ ନାଲକୋ ନିଲାମ ପ୍ରକ୍ରିୟାରୁ ନିବୃତ୍ତ ରଖାଯାଇଥିବାରୁ ଏହା ବିରୋଧରେ କମ୍ପାନି କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଗତ ମାସ ୨୬ରେ ଓଡ଼ିଶା ହାଇକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ କେ. ଏସ୍. ଜାଭେରୀ ଓ ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କ ଖଣ୍ଡପୀଠ ନାଲକୋ ନିଲାମ ପ୍ରକ୍ରିୟାରେ ବେଦାନ୍ତ ଭାଗ ନେଇପାରିବ ବୋଲି କହିଥିଲେ। ଝାରସୁଗୁଡ଼ା ବେଦାନ୍ତ ଲିମିଟେଡ୍ ଗତ କିଛି ମାସ ହେବ ଆବଶ୍ୟକ ପରିମାଣର କଞ୍ଚାମାଲ ଆଲୁମିନା ପାଉନଥିବା ବେଳେ ନାଲକୋ ପକ୍ଷରୁ ହେଉଥିବା ଆଲୁମିନା ଅକ୍ସନ୍‌ରେ ବେଦାନ୍ତ ଆବଶ୍ୟକୀୟ ନଥିପତ୍ର ସହ ବିଡ୍ କରିଥିବା ବେଳେ ନାଲକୋ ପକ୍ଷରୁ କୌଣସି ଜବାବ ନମିଳିବାରୁ ବେଦାନ୍ତ ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର