ନମାଜ ପାଠକୁ ନେଇ ବିବାଦ: ୭ ବିଦେଶୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜରାଟ ବିଶ୍ୱବିଦ୍ୟାଳୟ ପରିସରରେ ନମାଜ ପଢ଼ିବା କାରଣରୁ କିଛି ବିଦେଶୀ ଛାତ୍ରଙ୍କୁ ଆକ୍ରମଣ କରାଯିବା ପରେ ଆଫଗାନିସ୍ତାନର ୬ ଜଣ ଏବଂ ପୂର୍ବ ଆଫ୍ରିକାର ଜଣେ ଛାତ୍ରଙ୍କୁ ହଷ୍ଟେଲ ରୁମ୍‌ ଖାଲି କରିବାକୁ କୁହାଯାଇଛି। ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ଆକ୍ରମଣର କିଛି ଦିନ ପରେ ଆଫଗାନିସ୍ତାନ ଏବଂ ଏକ ଗାମ୍ବିଆ ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ କୁଳପତିଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ନୀରଜା ଗୁପ୍ତା କହିଛନ୍ତି, ଆଫଗାନିସ୍ତାନର ୬ ଜଣ ଏବଂ ପୂର୍ବ ଆଫ୍ରିକାର ଜଣେ ଛାତ୍ର ଅଧିକ ସମୟ ରହିବା ପରେ ସେମାନଙ୍କୁ ହଷ୍ଟେଲ ରୁମ୍‌ ଖାଲି କରିବାକୁ କୁହାଯାଇଥିଲା। ପ୍ରଶାସନିକ କାର୍ଯ୍ୟ ଅଟକି ରହିଥିବାରୁ ଏହି ବ୍ୟକ୍ତିମାନେ ପାଠପଢ଼ା ଶେଷ କରି ପୂର୍ବତନ ଛାତ୍ର ଭାବେ ହଷ୍ଟେଲରେ ରହୁଥିଲେ।
ସେମାନଙ୍କୁ ଆଉ ହଷ୍ଟେଲରେ ରହିବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱବିଦ୍ୟାଳୟ ସୁନିଶ୍ଚିତ କରିଛି ଏବଂ ସେମାନଙ୍କୁ ନିଜ ନିଜ ଦେଶକୁ ଫେରିବାର ବ୍ୟବସ୍ଥା କରିଛି ବୋଲି ଗୁପ୍ତା କହିଛନ୍ତି।

ଆମେ ଆବଶ୍ୟକ କାଗଜପତ୍ର ଶେଷ କରିସାରିଛୁ ଏବଂ ସେମାନେ ଏବେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ପାରିବେ। ଆମେ କୌଣସି ପୂର୍ବତନ ଛାତ୍ରଙ୍କୁ ଆମ ହଷ୍ଟେଲରେ ରଖିବାକୁ ଚାହୁଁନାହୁଁ। ଆମେ ସମ୍ପୃକ୍ତ ଦେଶର ଦୂତାବାସଗୁଡ଼ିକୁ ଅବଗତ କରିଛୁ ଏବଂ ସେମାନେ ଏହି ଛାତ୍ରମାନଙ୍କୁ ହଷ୍ଟେଲ ଖାଲି କରିବାକୁ ମଧ୍ୟ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କୁଳପତି କହିଛନ୍ତି।

ଗୁଜରାଟ ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।

ସମ୍ବନ୍ଧିତ ଖବର