ମେନପୁରୀ ହେବ ମୟନ ନଗରୀ, ଆଲିଗଡର ନାମ ବଦଳି ହୋଇପାରେ ହରିଗଡ

ଲଖନଉ: ଉତ୍ତରପ୍ରଦେଶର ଜିଲ୍ଲାଗୁଡ଼ିକରେ ବିଜେପି ସରକାର(ଜିଲ୍ଲା ପରିଷଦ,ଗ୍ରାମପଞ୍ଚାୟତ) ପରେ ଜିଲ୍ଲାଗୁଡ଼ିକର ନାମ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଆହ୍ଲାବାଦ ଓ ଅଯୋଧ୍ୟା ନାମ ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ମେନପୁରୀ, ଆଲିଗଡ ଏବଂ ଫିରୋଜାବାଦର ନାମ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଦୀର୍ଘ ଦିନ ଧରି ଆଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ଦାବି ହୋଇଆସୁଛି | ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଜେପିର ଲୋକ ପ୍ରତିନିଧିମାନେ ଏହି ଦାବିକୁ ଅନେକ ଥର ଉଠାଇଛନ୍ତି |

ଉଲ୍ଲେଖ ଥାଉ କି ଆହ୍ଲାବାଦକୁ ପ୍ରୟାଗରାଜ ଏବଂ ଫୈଜାବାଦକୁ ଅଯୋଧ୍ୟା ଭାବରେ ନାମିତ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ଦୁଇଟି ସହରର ନାମ ପରିବର୍ତ୍ତନ କରିଥିବାବେଳେ ଏବେ ଆଉ ତିନୋଟି ସହରର ନାମ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି | ବର୍ତ୍ତମାନ ଆଲିଗଡ, ମେନପୁରୀ ଏବଂ ଫିରୋଜାବାଦ ଜିଲ୍ଲା ପଞ୍ଚାୟତ ବୈଠକରେ ଜିଲ୍ଲାର ନାମ ପରିବର୍ତ୍ତନ ପାଇଁ ସଂକଳ୍ପ ପାରିତ ହୋଇଛି।

ଫିରୋଜାବାଦକୁ ଚନ୍ଦ୍ରନଗର, ମେନପୁରୀକୁ ମୟନ ନଗରୀ ଏବଂ ଆଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଛି। ସୋମବାର ଦିନ ଏହି ସବୁ ଜିଲ୍ଲାମାନଙ୍କର ଜିଲ୍ଲା ପଞ୍ଚାୟତ ବୋର୍ଡ ବୈଠକରେ ନାମ ପରିବର୍ତ୍ତନ ନେଇ ସଂକଳ୍ପ ପାରିତ ହୋଇଥିଲା | ବର୍ତ୍ତମାନ ଏହି ପ୍ରସ୍ତାବଗୁଡିକ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ | ଆଉ ରାଜ୍ୟ ସରକାର ଅନୁମତି ଦେଲେ ଏସବୁ ସ୍ଥାନର ନାମ ବଦଳିଯିବ |

ସମ୍ବନ୍ଧିତ ଖବର