ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦରବାର ହଲ୍' ଏବଂ 'ଅଶୋକ ହଲ୍'ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକା ହଲର ନାମ ଅଶୋକା ମଣ୍ଡପ ହୋଇଥିବା ବେ‌ଳେ ଦରବାର ହଲର ନାମ ଗଣତନ୍ତ୍ର ମଣ୍ଡପ ରଖାଯାଇଛି। ଆଜି ଦ୍ରୌପଦୀ ମୁର୍ମୁଙ୍କର ରାଷ୍ଟ୍ରପତି ହେବାକୁ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନର ହଲଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଥିବା ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତି ଭବନରେ ଥିବା ହଲର ନାମ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଅଶୋକ ଏକ ଭଲ ନାମ।

Advertisment

ଦୁଇଟି ହଲର ସାଜସଜ୍ଜା ଖୁବ ସୁନ୍ଦର। ରାଷ୍ଟ୍ରପତି ଭବନର ସବୁଠାରୁ ଭବ୍ୟ ହଲ୍ ହେଉଛି ଦରବାର ହଲ୍, ଯାହାକୁ ବର୍ତ୍ତମାନ ଗଣତନ୍ତ୍ର ମଣ୍ଡପ ନାମରେ ନାମିତ କରାଯାଇଛି। ଦରବାର ହଲ୍ ପୂର୍ବରୁ ଏହା ଥ୍ରୋନ ରୁମ୍ ଭାବରେ ଜଣାଶୁଣା ଥିଲା ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ସ୍ବାଧୀନ ଭାରତର ପ୍ରଥମ ସରକାର ଏଠାରେ ଅଗଷ୍ଟ ୧୫, ୧୯୪୭ରେ ଶପଥ ଗ୍ରହଣ କରିଥିଲେ। ୧୯୪୮ମସିହାରେ, ସି ରାଜାଗୋପାଲାଚାରୀ ଦରବାର ହଲରେ ଭାରତର ଗଭର୍ଣ୍ଣର ଜେନେରାଲ୍ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୭୭ମସିହାରେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦେହାନ୍ତ ପରେ ଭାରତର ପଞ୍ଚମ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦରବାର ହଲର ବ୍ୟବହାର କରାଯାଇଥିଲା।

ସେହିଭଳି ଅଶୋକ ହଲରେ ବେଲଜିୟମ ଝୁମର ସହ ବହୁତ ଦାମୀ ଚିତ୍ର ଲଗାଯାଇଛି। ଏହାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆ‌ୟୋଜନ କରାଯାଏ।