କୁନୋ ଜାତୀୟ ଉଦ୍ୟାନରେ ୪ ଛୁଆଙ୍କୁ ଜନ୍ମଦେଲା ନାମିବ୍ୟା ଚିତା

କୁନୋ : ନାମିବ୍ୟାରୁ ଅଣାଯାଇଥିବା ଚିତାମାନଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚାରିଟି ଛୁଆଙ୍କୁ ଜନ୍ମ ଦେଇଛି। କିଡ୍‌ନୀ ଅଚଳ ଯୋଗୁ ଗୋଟିଏ ଚିତା ଶଶାର ମୃତ୍ୟୁର ତିନିଦିନ ପରେ ଏହି ଶୁଭ ଖବର ମିଳିଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ବିଟ୍ କରି ବାଘଛୁଆ ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ନାମିବ୍ୟାରୁ ୨୦୨୨ ସେପ୍ଟେମ୍ବର ୧୭ରେ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ଚିତା ଚାରିଟି ଛୁଆ ଜନ୍ମ କରିବା ନେଇ ସେ ଖୁବ୍ ଆନନ୍ଦିତ।

ଗତ ସେପ୍ଟେମ୍ବର ମାସରେ ଶଶା ସମେତ ୮ଟି ଚିତାଙ୍କୁ ଆଫ୍ରିକୀୟ ଦେଶ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। କିନ୍ତୁ ସାଢ଼େ ଚାରିବର୍ଷର ମାଈ ଚିତା ଶଶାର ମୃତ୍ୟୁ ପ୍ରୋଜେକ୍ଟ ଚିତା ପ୍ରତି ଏକ ଶକ୍ତ ଧକ୍କା ଥିଲା। ଉକ୍ତ ଚାରି ଛୁଆଙ୍କ ଜନ୍ମ ସେହି ଦୁଃଖକୁ କିଛିମାତ୍ରାରେ ଲାଘବ କରିଛି। ବାକି ୭ ଚିତା ସୁସ୍ଥସବଳ ଅଛନ୍ତି ଏବଂ ଜଙ୍ଗଲ ଭିତରେ ଖୋଲାରେ ବୁଲୁଛନ୍ତି, ଖେଳୁଛନ୍ତି, ଶିକାର କରୁଛନ୍ତି ଓ ସକ୍ରିୟ ଅଛନ୍ତି ବୋଲି ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଜେଏସ୍ ଚୌହାନ କହିଛନ୍ତି। ଗତମାସରେ ଆଉ ୧୨ଟି ଚିତାଙ୍କୁ ମଧ୍ୟ ଆଫ୍ରିକାରୁ ଅଣାଯାଇଥିଲା। ସେମାନଙ୍କୁ ଏବେ କ୍ବାରେଣ୍ଟାଇନରେ ରଖାଯାଇଛି। ସେମାନେ ବି ସୁସ୍ଥ ଓ ସକ୍ରିୟ ଅଛନ୍ତି ବୋଲି ଚୌହାନ କହିଛନ୍ତି।

ସମ୍ବନ୍ଧିତ ଖବର