ନୂଆଦିଲ୍ଲୀ: କେମ୍ବ୍ରିଜ୍ ଆନାଲିଟିକାର ଫେସ୍ବୁକ୍ ତଥ୍ୟ ଚୋରି ଘଟଣା ପ୍ରଘଟ ପରେ ସମ୍ପ୍ରତି ବିଶ୍ୱବ୍ୟାପୀ ହଇଚଇ ଥମିନଥିଲା ବେଳେ ଆଜି ଅନୁରୂପ ତଥ୍ୟ ଚୋରି ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନମୋ ଆପ୍ ଦ୍ୱାରା ଭାରତୀୟଙ୍କ ଗୋପନୀୟ ତଥ୍ୟ ଆମେରିକୀୟ କମ୍ପାନିଗୁଡ଼ିକ ହାତରେ ଉପଲବ୍ଧ ହୋଇପାରୁଛି ବୋଲି ରାହୁଲ୍ ଆଜି ଟ୍ଵିଟ୍ କରି କହିଛନ୍ତି। ନମୋ ଆପ୍ରେ ସ୍ୱାକ୍ଷର କଲା ମାତ୍ରେ ସମସ୍ତ ତଥ୍ୟ ହଡ଼ପ ହୋଇଯାଉଛି ବୋଲି କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ ଆଣିଛନ୍ତି।
ଉଲ୍ଲେଖ ଥାଉ କି, ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଜଣେ ଫରାସୀ ତଥ୍ୟ ହଡ଼ପ ଅନୁସନ୍ଧାନକାରୀ ଏପରି ତଥ୍ୟଚୋରି କଥା ଦାବି କରିଥିଲେ। ମୋଦିଙ୍କ ମୋବାଇଲ୍ ଆପ୍ରେ ଜଣେ ବ୍ୟବହାରକାରୀ ସ୍ୱାକ୍ଷର କଲା ମାତ୍ରେ ତାଙ୍କର ଇମେଲ୍ ଠିକଣା, ଫଟୋ, ନାମ, ଲିଙ୍ଗ ଆଦି ବ୍ୟକ୍ତିଗତ ସୂଚନାଗୁଡ଼ିକ ବ୍ୟବହାରକାରୀଙ୍କ ବିନା ଅନୁମତିରେ କୁଆଡ଼େ ଏକ ତୃତୀୟ ପକ୍ଷକୁ ସ୍ୱୟଂକ୍ରିୟ ଭାବେ ପ୍ରେରିତ ହୋଇଯାଉଛି ବୋଲି ଉକ୍ତ ଫରାସୀ ଅନୁସନ୍ଧାନକାରୀ କହିଛନ୍ତି। ଅପରପକ୍ଷେ, ଏଭଳି ଚାଞ୍ଚଲ୍ୟକର ରିପୋର୍ଟକୁ ପ୍ରମୁଖ ଭାରତୀୟ ଗଣମାଧ୍ୟମ ପ୍ରକାଶ କରିବାରେ କୁଣ୍ଠାବୋଧ କରୁଛନ୍ତି ବୋଲି ରାହୁଲ କ୍ଷୋଭ ପ୍ରକାଶ କରିବା ସହ ଉକ୍ତ ରିପୋର୍ଟ ଆଧାରରେ ସେ ମୋଦିଙ୍କୁ ନିଶାଣ କରିଛନ୍ତି। ରାହୁଲ୍ ତାଙ୍କ ଟ୍ଵିଟରରେ ମୋଦିଙ୍କୁ କଟାକ୍ଷ କରି ଲେଖିଛନ୍ତି, ‘ହାଏ! ମୋ’ ନାଁ ନରେନ୍ଦ୍ର ମୋଦି। ମୁଁ ଭାରତର ପ୍ରଧାନମନ୍ତ୍ରୀ। ତୁମେ ଯେତେବେଳେ ମୋ’ ସରକାରୀ ଆପ୍ରେ ସ୍ୱାକ୍ଷର କରୁଛ, ତୁମ ସଂକ୍ରାନ୍ତ ସମସ୍ତ ତଥ୍ୟ ମୁଁ ମୋର ଆମେରିକୀୟ କମ୍ପାନିରେ ଥିବା ବନ୍ଧୁଙ୍କୁ ତୁରନ୍ତ ଯୋଗାଇ ଦେଇପାରୁଛି।’ ଅପରପକ୍ଷେ, ରାହୁଲଙ୍କ ଏଭଳି ଅଭିଯୋଗକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଆଲଫୋନ୍ସ କେ ଜେ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ଅଭିଯୋଗ ଉଡ଼ାକଥା ସଦୃଶ ଅମୂଳକ ଏବଂ ଏଥିରେ ଆଦୌ ବିଶ୍ୱାସ ନ କରିବାକୁ ସେ ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି।