ମୁମ୍ବାଇ: ମହାରାଷ୍ଟ୍ରର ବାରାମତୀ ଲୋକସଭା ଆସନରେ ଏଥର ନିର୍ବାଚନ ଲଢ଼େଇ ବେଶ ରୋଚକ ହେବ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ର ଅଜିତ ପାୱାର ଗୋଷ୍ଠୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ସୁନେତ୍ରା ପାୱାରଙ୍କୁ ବାରାମତୀରୁ ପ୍ରାର୍ଥୀ ଘୋଷଣା କରିଛି। ସୁନେତ୍ରା ଏନସିପି (ଶରଦ ପାୱାର ଗୋଷ୍ଠୀ) ପ୍ରାର୍ଥୀ ତଥା ନିଜ ନଣନ୍ଦ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ସୁପ୍ରିୟା ଏହି ଆସନରୁ ତିନି ଥର ସାଂସଦ ନିର୍ବାଚିତ ହୋଇଥିବା ବେଳେ ଏଥର ପୁଣି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବାରାମତୀ ଆସନରେ ଏହି ପାରିବାରିକ ଲଢ଼େଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମୁକାବିଲା ମଧ୍ୟ ତୀବ୍ର ହେବ ବୋଲି କୁହାଯାଉଛି। ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରୁ ମେ ୨୦ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ। ବାରମତୀରେ ମେ ୭ତାରିଖରେ ମତଦାନ ହେବ।