ତାଇପେଇରେ ପହଞ୍ଚିଲେ ପେଲୋସି, ପୂର୍ବ ଏସିଆରେ ହାଇଆଲର୍ଟ

ତାଇପେଇ : ବହୁ କଳ୍ପନା ଜଳ୍ପନା ପରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସି ପେଲୋସି  ଶେଷରେ ତାଇଓ୍ବାନ ରାଜଧାନୀ ତାଇପେଇରେ ପହଞ୍ଚିଛନ୍ତି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ତାଇଓ୍ବାନରେ ହାଇଆଲର୍ଟ ଜାରି କରାଯାଇଛି । ଚୀନର ଧମକ ସତ୍ତ୍ବେ ପେଲୋସୀ ତାଇଓ୍ବାନରେ ପହଞ୍ଚିଥିବାରୁ ଚୀନର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ଭାରତୀୟ ସମୟ ୮ଟା ୨୦ ମିନିଟ ସମୟରେ ସେ ଓ ଆମେରିକୀୟ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ତାଇପେଇର ସୋଙ୍ଗସାନ ଏୟାରପୋର୍ଟରେ ପହଞ୍ଚିଥିଲେ । ଆମେରିକା ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସେ ତାଇଓ୍ବାନ ଆସିଛନ୍ତି ।  ତାଙ୍କୁ ତାଇଓ୍ବାନର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ । ପେଲୋସୀଙ୍କ ଏହି ଗସ୍ତ ସହ ୧୯୯୭ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧି ତାଇଓ୍ବାନ ଗସ୍ତ କରିଛନ୍ତି । ୧୯୯୭ରେ ଆମେରିକୀୟ ସାଂସଦ ନ୍ୟୁଟ୍ ଗିଙ୍ଗରିଚ ତାଇଓ୍ବାନ ଗସ୍ତ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ବୁଧବାରଦିନ ପେଲୋସି ତାଇଓ୍ବାନର ରାଷ୍ଟ୍ରପତି,ତାଓ୍ବାନ ସଂସଦର ବାଚସ୍ପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ପେଲୋସି ତାଇଓ୍ବାନ ଗସ୍ତ କରିବା ପରେ ଚୀନର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଚୀନ ନିଜ ସେନାକୁ ପ୍ରସ୍ତୁତ ରଖିଥିବାବେଳେ ଆମେରିକା ମଧ୍ୟ ନିଜର ନୌସେନାକୁ ପ୍ରସ୍ତୁତ ରଖିଛି । ତାଇଓ୍ବାନ ମଧ୍ୟ ନିଜ ସେନାକୁ ପ୍ରସ୍ତୁତ ରଖିଛି ।

 

ସମ୍ବନ୍ଧିତ ଖବର