ନନ୍ଦାଦେବୀରେ ବିଶାଳ ସର୍ଚ୍ଚ ଅପରେସନ

ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର ପାଇଁ କସରତ

ପିଥୋରଗଡ଼ : ଭାରତର ଦ୍ବିତୀୟ ସର୍ବୋଚ୍ଚ ଗିରିଶୃଙ୍ଗ ‘ନନ୍ଦାଦେବୀ’ରେ ଆଜି ଏକ ବିଶାଳ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତମାଳା‌ରେ ପ୍ରାଣ ହରାଇଥିବା ଆରୋହୀମାନଙ୍କ ମୃତଦେହ ଉଦ୍ଧାର କରିବାପାଇଁ ଭାରତର ଏହି ‘ହାଇ ରିସ୍କ’ ଅପରେସନ୍‌ରେ ଅନେକ ବେସାମରିକ ‌ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ଗତକାଲି ନନ୍ଦାଦେବୀରେ ଭାରତୀୟ ବାୟୁସେନାର ଏକ ବିମାନ ୫ ଜଣ ପର୍ବତାରୋହୀଙ୍କ ମୃତଦେହ ଠାବ କରିଥିଲା। ଏହି ୫ ଜଣଙ୍କ ମୃତଦେହ ଉଦ୍ଧାର ସହ ଅନ୍ୟ ୩ ଜଣ ପର୍ବତାରୋହୀଙ୍କୁ ଠାବ କରିବାପାଇଁ ମଧ୍ୟ ଭାରତ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ଅଭିଯାନ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ ବ୍ରିଟେନ୍‌ର ପର୍ବତାରୋହୀ ମାର୍ଟିନ୍‌ ମୋରାନ୍‌ଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍‌ ନନ୍ଦାଦେବୀକୁ ଯାତ୍ରା ଆରମ୍ଭ କରିଥିଲେ। ଏହି ଟିମ୍‌ରେ ୪ ଜଣ ବ୍ରିଟେନ୍‌ର, ୨ ଜଣ ଆମେରିକାର, ଜଣେ ଭାରତୀୟ ଏବଂ ଜଣେ ଅଷ୍ଟ୍ରେଲିଆର ଥିଲେ। ତେବେ ୪ ଜଣଙ୍କ ମୃତଦେହ ଗତ ସପ୍ତାହରେ ଉଦ୍ଧାର କରାଯାଇଥିଲା। ୫ ଜଣ ପର୍ବତାରୋହୀଙ୍କ ମୃତଦେହ ଗତକାଲି ଠାବ କରାଯାଇଥିବା ବେଳେ ଆହୁରି ୩ ଜଣଙ୍କ ମୃତ‌‌ଦେହ ଠାବ ପାଇଁ ପ୍ରୟାସ ଜାରି ରହିଛି। ଆଜି ଏକ ସ୍ବତନ୍ତ୍ର ସାମରିକ ହେଲିକପ୍ଟର ଯୋଗେ ୪ ଜଣ ଆଇଟିବିପି ପର୍ବତାରୋହୀ ଏବଂ ୫ ଜଣ ବାୟୁସେନା ସଦସ୍ୟ ଅତ୍ୟନ୍ତ ବିପଦସଙ୍କୁଳ ଅପରେସନ୍‌ରେ ବାହାରିଛନ୍ତି। ଭୋର୍‌ ୫ଟାରୁ ଅପରେସନ୍‌ ଆରମ୍ଭ ହୋଇଥିବା ବେଳେ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏହି ଦ୍ବତୀୟ ବୃହତ୍ତମ ପର୍ବତର ୧୮,୦୦୦ରୁ ୨୦,୦୦୦ ଫୁଟ୍‌ ଉଚ୍ଚତାରେ ଆଇଟିବିପି ପର୍ବତା‌ରୋହୀମାନଙ୍କ ହେଲିକପ୍ଟର ଆଜି ପହଞ୍ଚିବା ସମ୍ଭବ ହୋଇପାରି ନାହିଁ। ନିକଟ ଅତୀତରେ ଭାରତୀୟ ପର୍ବତରେ ଏତବେଡ଼ ସର୍ଚ୍ଚ ଅପରେସନ୍‌ ହୋଇନାହିଁ ବୋଲି କୁହାଯାଉଛି।
ସୂଚନାନୁଯାୟୀ ମୋରାନ୍‌ଙ୍କ ନେତୃତ୍ବାଧୀନ ଏହି ଟିମ୍‌କୁ ପୂର୍ବ ନନ୍ଦାଦେବୀରେ ପର୍ବତାରୋହଣ ପାଇଁ ଅନୁମତି ମିଳିଥିଲା। କିନ୍ତୁ ମୋରାନ୍‌ଙ୍କ ପର୍ବତାରୋହଣ ସଂସ୍ଥା ଦ୍ବାରା କରାଯାଇଥିବା ଏକ ଫେସବୁକ୍‌ ପୋଷ୍ଟ୍‌ରୁ ଜଣାପଡ଼ିଥିଲା ଯେ ସେମାନେ ବାଟରେ ନିଜର ଯୋଜନା ବଦଳାଇ ଆହୁରି ଅଧିକ ଉଚ୍ଚତାକୁ ଚଢ଼ିବାକୁ ସ୍ଥିର କରିଥିଲେ। ମାଉଣ୍ଟ୍‌ ଏଭରେଷ୍ଟ୍‌ଠାରୁ ମଧ୍ୟ ଏହି ପର୍ବତକୁ ଚଢ଼ିବା ଅଧିକ କଷ୍ଟଦାୟକ ବୋଲି କୁହାଯାଉଛି। ନିଷ୍ପତ୍ତି ବଦଳାଇ ସେମାନେ ନିଜ ଜୀବନକୁ ବିପଦରେ ପକାଇଲେ। ଏହି ଟିମ୍‌ ସହ ଗତ ମେ’ ୨୬ ତାରିଖରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା। ବରଫ ଅତଡ଼ା ଖସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏଭ‌ରେଷ୍ଟ୍‌ ଆରୋହୀଙ୍କ ଉପରେ କଟକଣା ଲଗାଇଲା ନେପାଳ
କାଠମାଣ୍ଡୁ : ଚଳିତ ପର୍ବତାରୋହଣ ପର୍ଯ୍ୟାୟରେ ମାଉଣ୍ଟ୍‌ ଏଭରେଷ୍ଟରେ ୧୧ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏତେ ସଂଖ୍ୟାର ପର୍ବତାରୋହୀଙ୍କ ମୃତ୍ୟୁ ପାଇଁ ନେପାଳ ଏବେ ଏଭରେଷ୍ଟ୍‌ ପର୍ବତାରୋହଣ ଉପରେ କଟକଣା ଲଗାଇଛି। ପର୍ବତାରୋହୀମାନଙ୍କ ସର୍ବନିମ୍ନ ଆବଶ୍ୟକତା ତଥା ଅଧିକ ଦଉଡ଼ି, ଅଧିକ ଅକ୍ସିଜେନ୍‌ ଉପରେ ନେପାଳ ଗୁରୁତ୍ବ ଦେଇଛି। ନେପାଳ ଚଳିତ ବର୍ଷ ସବୁଠୁ ଅଧିକ ତଥା ୩୮୧ ଜଣଙ୍କୁ ଏଭରେଷ୍ଟ୍‌ ଆରୋହଣ ପାଇଁ ଅନୁମତି ଦେଇଛି।

ସମ୍ବନ୍ଧିତ ଖବର