ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନକ୍‌ଭି ଏବଂ ଆର୍‌ସିପି ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସାଂସଦ ଭାବେ ଉଭୟ ନକ୍‌ଭି ଏବଂ ଆର୍‌ସିପି ସିଂହଙ୍କ କାର୍ଯ୍ୟକାଳ ଗୁରୁବାର ଦିନ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ଆଜି ସେମାନେ ଇସ୍ତଫା ଦେଇଛନ୍ତି। ମୋଦୀ ୨.୦ କ୍ୟାବିନେଟ୍‌ରେ ନକ୍‌ଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଏବଂ ଆର୍‌ସିପି ସିଂହ ଇସ୍ପାତ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ସଂଖ୍ୟାଲଘୁ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଦିଆଯାଇଥିବା ବେଳେ ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଇଛି।

Advertisment

ମୋଦୀ ଆଜି କ୍ୟାବିନେଟ୍‌ ବୈଠକରେ ଉଭୟ ନକ୍‌ଭି ଏବଂ ସିଂହଙ୍କୁ ଦେଶର ବିକାଶ ଦିଗରେ ସେମାନଙ୍କ ଅବଦାନ ପାଇଁ ପ୍ରଶଂସା କରିଛନ୍ତି। ମୋଦୀଙ୍କ ଏହି ପ୍ରଶଂସାରୁ ଇଙ୍ଗିତ ହେଉଥିଲା ଯେ ଏହା ମନ୍ତ୍ରୀ ନକ୍‌ଭି ଏବଂ ଆର୍‌ସିପି ସିଂହଙ୍କ ଶେଷ କାର୍ଯ୍ୟ ଦିବସ। କ୍ୟାବିନେଟ୍ ବୈଠକ ପରେ ନକ୍‌ଭୀ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ବିଜେପି ମୁଖ୍ୟାଳୟରେ ଭେଟିଥିଲେ। କେତେକ ରିପୋର୍ଟ ଅନୁଯାୟୀ ବିଜେପି ନକ୍‌ଭିଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିପାରେ କିମ୍ବା କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରାଜ୍ୟପାଳ କିମ୍ବା ଉପରାଜ୍ୟପାଳ ଭାବେ ମନୋନୀତ କରିପାରେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ନକ୍‌ଭି ‌ହେଉଛନ୍ତି ଏକମାତ୍ର ମନ୍ତ୍ରୀ ଯିଏ କି ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ବିଜେପି ସରକାରରେ ଥିଲେ।