ନାରଦା ଷ୍ଟିଂ ମାମଲା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପକ୍ଷଭୁକ୍ତ କଲା ସିବିଆଇ

ମମତାଙ୍କ ଉପସ୍ଥିତିରେ ହିଁ ଆତଙ୍କ ସୃଷ୍ଟି କରାଯାଇଥିବା ଅଭିଯୋଗ, ମାମଲା ରାଜ୍ୟ ବାହାରକୁ ସ୍ଥାନାନ୍ତର ପାଇଁ ନିବେଦନ

କୋଲକାତା: ନାରଦା ଷ୍ଟିଂ ମାମଲାକୁ ନେଇ ପଶ୍ଚିମବଂଗରେ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସୋମବାର ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆତଙ୍କ ସୃଷ୍ଟି କରାଯାଇଥିଲା ବୋଲି ଆଜି ମାମଲାରେ ଶୁଣାଣି ବେଳେ ସିବିଆଇ ପକ୍ଷରୁ କୁହାଯାଇଛି। ନାରଦା ଷ୍ଟିଂ ମାମଲାକୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ସିବିଆଇ ହାଇକୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛି। ମାମଲା ସ୍ଥାନାନ୍ତର କରିବା ପାଇଁ ସିବିଆଇର ଆବେଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଇନ ମନ୍ତ୍ରୀ ମଳୟ ଘଟକ ଏବଂ ତୃଣମୂଳର ବରିଷ୍ଠ ନେତା ତଥା ଆଡ଼ଭୋକେଟ୍‌ କଲ୍ୟାଣ ବାନାର୍ଜୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

ନାରଦା ମାମଲାର ବିଚାର ପାଇଁ ବାହାର ରାଜ୍ୟକୁ ସ୍ଥାନାନ୍ତର ଦାବି ସହିତ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ ହାଜତକୁ ପଠାଇବାକୁ ନିବେଦନ କରାଯାଇଛି। ସିବିଆଇ କହିଛି ଯେ ଏହି ମାମଲାର ବିଚାର ଏଠାରେ କରାଗଲେ ତାହା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ମାମଲାରେ ସୋମବାର ସିବିଆଇ ରାଜ୍ୟର ୪ ହେଭିୱେଟ୍‌ ନେତାଙ୍କୁ ଗିରଫ କରିବା ପରେ ଯେଭଳି ଭାବେ ନିଜେ ମୁଖ୍ୟମନ୍ତ୍ରୀ ସିବିଆଇ କାର୍ଯ୍ୟାଳୟକୁ ଆସି ଧାରଣା ଦେଇଥିଲେ ଏବଂ କାର୍ଯ୍ୟାଳୟ ବାହାରେ ତୃଣମୂଳ ସମର୍ଥକମାନେ ଟେକାପଥର ମାଡ଼ କରିଥିଲେ, ଏସବୁ ଘଟଣାରୁ ମାମଲାର ବିଚାର ପ୍ରଭାବିତ ହେବା ସ୍ପଷ୍ଟ ସୂଚନା ମିଳୁଛି ବୋଲି ସିବିଆଇ କହିଛି। ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ କୋର୍ଟ ଭିତରେ ହିଁ ସିବିଆଇ ଅଧିକାରୀମାନଙ୍କୁ ଧମକ ଦେଇଥିଲେ ବୋଲି ଆବେଦନରେ କୁହାଯାଇଛି।

ସମ୍ବନ୍ଧିତ ଖବର