ଆଜି ନାର୍କୋ ଟେଷ୍ଟ୍‌: ପଲିଗ୍ରାଫ୍‌ ଟେଷ୍ଟ୍‌ରେ ଅପରାଧ ସ୍ବୀକାର କଲା ଅଫ୍‌ତାବ

ନୂଆ ଗାର୍ଲଫ୍ରେଣ୍ଡ ପୁଲିସକୁ କ’ଣ କହିଲେ?

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲାର ଅଭିଯୁକ୍ତ ଅଫ୍‌ତାବ ଆମିନି ପୁନାୱାଲା ପଲିଗ୍ରାଫ୍‌ ଟେଷ୍ଟରେ ତା’ର ଅପରାଧ ସ୍ବୀକାର କରିଛି ଏବଂ ଏହି ବିଭତ୍ସ ହତ୍ୟା ଯୋଜନା ସଂପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ସେ ବହୁ ପୂର୍ବରୁ ଯୋଜନା କରିଥିଲା ଏବଂ କେବଳ ସେହି ଉଦ୍ଦେଶ୍ୟରେ ହିଁ ଦିଲ୍ଲୀ ଆସିଥିଲା ବୋଲି କହିଛି। ଫରେନ୍ସିକ ସାଇନ୍ସ ଲାବୋରେଟୋରି (ଏଫ୍‌ଏସ୍‌ଏଲ୍‌) ସୂତ୍ରରୁ ଜଣାପଡ଼ିଛି ଯେ ଅଫ୍‌ତାବ ତା’ର ଅପରାଧ ସ୍ବୀକାର କରିବା ସହ ଶ୍ରଦ୍ଧାଙ୍କୁ ହତ୍ୟା ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲା ଏବଂ ପରେ ବିଭିନ୍ନ ଅଂଶକୁ ଜଙ୍ଗଲରେ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା। ସେ ମେ ୧୮ ତାରିଖ ଦିନ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ପଲିଗ୍ରାଫ୍‌ ଟେଷ୍ଟ୍‌ରୁ ଜଣାପଡ଼ିଛି ଯେ ସେ ପ୍ରଥମରୁ ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ୍‌ର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତି କରିଥିଲା ଏବଂ ଏ ସଂପର୍କରେ ଇଣ୍ଟରନେଟ୍‌ରେ ଅନେକ କିଛି ପଢ଼ିଥିଲା। ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ତା’ର ଯୋଜନା ସଂପର୍କରେ ପରିବାର ସଦସ୍ୟମାନେ କିଛି ଜାଣିନଥିଲେ ବୋଲି ସେ କହିଛି। ସେ ଡେଟିଂ ଆପ୍‌ ସହାୟତାରେ ଅନେକ ଯୁବତୀଙ୍କ ସହ ସଂପର୍କରେ ଥିବା ସ୍ବୀକାର କରିଛି। ଆସନ୍ତାକାଲି ଅଫ୍‌ତାବର ନାର୍କୋ ଟେଷ୍ଟ୍‌ ହେବ।

ନୂଆ ଗାର୍ଲଫ୍ରେଣ୍ଡ ପୁଲିସକୁ କ’ଣ କହିଲେ?
ନୂଆଦିଲ୍ଲୀ: ଆଫତାବ ପୁନାୱାଲା ତା’ର ଲିଭ୍-ଇନ୍ ସଙ୍ଗିନୀ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ତାଙ୍କର କଟା ଶରୀରକୁ ଫ୍ରିଜ୍ ଭିତରେ ରଖି ଯେଉଁ ନୂଆ ଗାର୍ଲଫ୍ରେଣ୍ଡଙ୍କ ସହ ଡେଟିଂ ଆରମ୍ଭ କରିଥିଲା, ସେ ଅଫତାବର ନୃଶଂସ କାର୍ଯ୍ୟ ବିଷୟରେ ଜାଣିବା ପରେ ମାନସିକ ଆଘାତ ପାଇଥିଲେ। ସେ ଜାଣି ନ ଥିଲେ ଯେ ଅଫତାବର ଯେଉଁ ଫ୍ଲାଟକୁ ସେ ଦୁଇଥର ଯାଇଛନ୍ତି ସେଠାରେ ତାଙ୍କର ପୂର୍ବ ବାନ୍ଧବୀଙ୍କର କଟା ଶରୀର ଅଛି।

ବୃତ୍ତିରେ ଜଣେ ମାନସିକ ରୋଗ ଚିକିତ୍ସକ ହୋଇଥିଲେ ମଧ୍ୟ ମହିଳା ଜଣକ ଅଫତାବର ମନକୁ ପଢ଼ିପାରି ନ ଥିଲେ। ସେ ପୁଲିସ ଆଗରେ ଦେଇଥିବା ସୂଚନା ଅନୁସାରେ ଅଫତାବ ତାଙ୍କୁ ଏକ ଚିତ୍ତାକର୍ଷକ ନକଲି ମୁଦି ଅକ୍ଟୋବର ୧୨ରେ ଦେଇଥିଲା। ଏହି ମୁଦିଟି ଶ୍ରଦ୍ଧାର ଥିଲା ବୋଲି ଜଣାପଡ଼ିଛି। ଏହି ମୁଦିକୁ ତାଙ୍କଠାରୁ ପୁଲିସ ଜବତ କରିବା ସହ ତାଙ୍କର ବିବୃତି ରେକର୍ଡ କରିଛି। ମହିଳାଙ୍କ କହିବା ଅନୁସାରେ ସେ ଅଫତାବର ଫ୍ଲାଟକୁ ଗତ ଅକ୍ଟୋବର ମାସରେ ଦୁଇଥର ଯାଇଥିଲେ ଏବଂ ଶ୍ରଦ୍ଧାଙ୍କ ହତ୍ୟା ବିଷୟରେ ଏବଂ ତାଙ୍କର କଟା ଶରୀର ଫ୍ରିଜରେ ରଖାଯାଇଥିବା ବିଷୟରେ କିଛି ଜାଣି ନ ଥିଲେ। ତାଙ୍କ ସହ କଥା ହେବା ବେଳେ ଅଫତାବ କେବେ ବି ଭୟଭୀତ ଥିବା ଜଣାପଡ଼ୁ ନ ଥିଲା ଏବଂ ସେ ତା’ର ମୁମ୍ବାଇ ଘର ବିଷୟରେ କହିଥିଲା। ମହିଳା ଜଣକ ଡେଟିଂ ଆପ୍ ଜରିଆରେ ଅଫତାବ ସହ ସମ୍ପର୍କ ଯୋଡ଼ିଥିଲେ। ବିଭିନ୍ନ ଡେଟିଂ ସାଇଟ୍ ଜରିଆରେ ଅଫତାବ ୧୫ରୁ ୨୦ ଝିଅଙ୍କ ସହ ଯୋଗାଯୋଗରେ ଥିଲା ବୋଲି ‌ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର