ପୁଣେ: ସାମାଜିକ କର୍ମୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ମାମଲାରେ ପୁଣେର ଏକ ଅଦାଲତ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ସିଂହ ତାଵଡ଼େଙ୍କ ସମେତ ଅନ୍ୟ ୩ ଜଣଙ୍କୁ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ଓଁକାରେଶ୍ୱର ମନ୍ଦିର ନିକଟରେ ଥିବା ବିଠଲ ରାମଜୀ ସିନ୍ଦେ ବ୍ରିଜ୍ ଉପରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ଗୁଳିରେ ଡାଭୋଲକରଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର ପ୍ରାୟ ୧୧ ବର୍ଷ ପରେ ପୁଣେ ସ୍ୱତନ୍ତ୍ର ଅଦାଲତ ଏହି ରାୟ ଶୁଣାଇଛନ୍ତି। କୋର୍ଟ ସଚିନ ଆଣ୍ଡୁରେ ଓ ଶରଦ କଲାସ୍କରଙ୍କୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ଅଭିଯୁକ୍ତ ତାୱଡେ, ସଞ୍ଜୀବ ପୁନାଲେକର ଓ ବିକ୍ରମ ଭାବେଙ୍କୁ ଦୋଷମୁକ୍ତ କରାଯାଇଛି।
ଡାଭୋଲକରଙ୍କ ହତ୍ୟା ପରବର୍ତ୍ତୀ ଚାରିବର୍ଷ ମଧ୍ୟରେ କେତେଜଣ ଜଣାଶୁଣା ବୁଦ୍ଧିଜୀବୀ ଟାର୍ଗେଟ କିଲିଂର ଶିକାର ହୋଇଥିଲେ, ଯେଉଁଥିରେ ବରିଷ୍ଠ ବାମପନ୍ଥୀ ନେତା ଗୋବିନ୍ଦ ପନସାରେ (୨୦୧୫ ଫେବ୍ରୁଆରି ୧୬ରେ କୋହ୍ଲାପୁରରେ), ଏମ୍ଏମ୍ କଲବୁର୍ଗି (୩୦ ଅଗଷ୍ଟ, ୨୦୧୫ରେ ଧାରୱାଡରେ) ଏବଂ ସାମ୍ବାଦିକ ଗୌରୀ ଲଙ୍କେଶ (ସେପ୍ଟେମ୍ବର ୨୦, ୨୦୧୭ରେ ବେଙ୍ଗାଲୁରୁରେ) ନିହତ ହୋଇଥିଲେ। ପୁଣେ ପୁଲିସ ପ୍ରଥମେ ଏହି ହତ୍ୟା ମାମଲାର ତଦନ୍ତ କରିଥିଲା। ୨୦୧୪ ମସିହାରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତଦନ୍ତ ଦାୟିତ୍ୱ ନେଇଥିଲା ଏବଂ ଜୁନ୍ ୨୦୧୬ରେ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନ ସହ ଜଡ଼ିତ ତାୱଡେଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁଯାୟୀ ତାୱଡେ ଏହି ହତ୍ୟାକାଣ୍ଡର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲେ ଯାହାଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/fhhfhfshf.jpg)