ଭୁବନେଶ୍ୱର : ରାଜ୍ୟ ପ୍ରତି କେନ୍ଦ୍ର ସରକାର ଅବହେଳା କରନ୍ତି। ଆଜି କହୁ କହୁ ଏଭଳି କଥାଟି କହିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି କଥା ପଦଟି ଓଡ଼ିଶା ସମେତ କେତେକ ଅଣବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ବିରୋଧରେ ଅସ୍ତ୍ର ଧରାଇଦେଇଛି।
ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏଭଳି ସତ କଥାଟିକୁ ଓଗାଳି ଦେଇଛନ୍ତି। ଗୁଜରାଟରେ କେନ୍ଦ୍ରୀୟ ଅବହେଳାର ସ୍ୱରୂପ ବର୍ଣ୍ଣନା କରି ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ହଁ, କେନ୍ଦ୍ର ବି ଅବହେଳା କରେ।
ଘୋଘା ଓ ଦହେଜ ମଧ୍ୟରେ ବୋଟ୍ ଚଳାଚଳ ପ୍ରକଳ୍ପ ଉଦ୍ଘାଟନ ବେଳେ ଆଜି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତତ୍କାଳୀନ ୟୁପିଏ ସରକାର ଗୁଜରାଟର ବିକାଶରେ ପ୍ରତିବନ୍ଧକ ସାଜିଥିଲେ। ଏହି ପ୍ରକଳ୍ପକୁ ଜାଣିଶୁଣି କେନ୍ଦ୍ର ସରକାର ବିଭିନ୍ନ ବାହାନା ଦେଖାଇ ବିଳମ୍ବ କରିଦେଇଥିଲେ। କାରଣ କେନ୍ଦ୍ରରେ ଥିଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏବଂ ଗୁଜରାଟରେ ଥିଲା ତାଙ୍କର ବିଜେପି ସରକାର। ହେଲେ ସେ ପ୍ରଧାନମନ୍ତ୍ରୀ ହେବା ପରେ ପରିସ୍ଥିତିରେ ଉନ୍ନତି ଆସିଛି।
ମୋଦିଙ୍କ ଏହି ମନ୍ତବ୍ୟ କେନ୍ଦ୍ର ଅବହେଳା ବିରୋଧରେ ଗଳାଫଟାଇ ଚିତ୍କାର କରୁଥିବା କ୍ଷମତାସୀନ ବିଜେଡିକୁ ଅସ୍ତ୍ର ଧରାଇଦେଇଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଗୁଜୁରାଟ ରାଜନୀତି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଗୁରୁତ୍ୱ ରଖୁଛି। ଓଡ଼ିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟ, ଯେଉଁଠାରେ ଆଞ୍ଚଳିକ ଦଳମାନେ ଶାସନ କରୁଛନ୍ତି, ସେମାନଙ୍କ ଅଭିଯୋଗକୁ ମୋଦି ପରୋକ୍ଷରେ ସ୍ୱୀକୃତି ଦେଇଛନ୍ତି। ରାଜ୍ୟରେ ବିଜେପି ଶାସନ ନ ହେଲା ଯାଏ ବିକାଶ ହୋଇପାରିବ ନାହିଁ ବୋଲି ନେତାମାନଙ୍କ ମନ୍ତବ୍ୟ ବି ଏହାକୁ ଅଧିକ ପ୍ରାସଙ୍ଗିକ କରିଦେଇଛି। ଏହା ରାଜ୍ୟ ବିଜେପି ପାଇଁ ବି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୀତି ସରଗରମ ରହିଛି। ଏକଦା କେନ୍ଦ୍ର ସରକାରଙ୍କ ଆଚରଣର ପ୍ରତିବାଦ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଆଉ ଏବେ ଦୀର୍ଘ ୧୩ ବର୍ଷ ଧରି ଏହାକୁ ପ୍ରସଙ୍ଗ କରିଛି ବିଜେଡି।
ଯଦିଓ ଶତ ପ୍ରତିଶତ ପାଣ୍ଠି ବିନିଯୋଗ କ୍ଷେତ୍ରରେ ଓଡ଼ିଶାର ସମସ୍ୟା ରହିଛି, ତଥାପି ପାଣ୍ଠି ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ଅବହେଳାର ହିସାବ ବେଶ୍ ଲମ୍ବା। ବିଜେଡି ଅଭିଯୋଗ କରୁଛି ଯେ ଅର୍ଥ କମିସନ ସୁପାରିସ ଆଧାରରେ ରାଜ୍ୟକୁ ଅର୍ଥ ବଣ୍ଟନ କରାଯାଉଥିଲେ ହେଁ, ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅବହେଳିତ ହୋଇଆସୁଛି। ସେହିଭଳି ବଜେଟ୍ରେ ଯେତିକି ଅର୍ଥ କେନ୍ଦ୍ର
ବରାଦ କରୁଛି, ସେତିକି ଅର୍ଥ ମିଳୁନାହିଁ। ମହାନଦୀ ମହାବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ସମ୍ମତି ଦେଉଥିଲେ ହେଁ, ଉପରମୁଣ୍ଡରେ ପ୍ରକଳ୍ପ ବନ୍ଦ ନେଇ ଓଡ଼ିଶାର ଦାବିକୁ ଏ଼଼ଡାଇ ଚାଲିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ କେନ୍ଦ୍ରୀୟ ନେତାମାନେ ବାଏଁ ବାଏଁ ଉଡାଇ ଦେଇଥିବା ବେଳେ ପଡୋଶୀ ବିହାର ଓ ଆନ୍ଧ୍ର ପ୍ରଦେଶ ଉପରେ କିନ୍ତୁ ଅନୁଦାନ ଅଜାଡି
ଦେଇଛନ୍ତି।
ତେବେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଇ ଦେଇଛି। କାରଣ ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ବିରୋଧରେ ବିଜେଡି କେନ୍ଦ୍ର ଅବହେଳା କଥା କହିବା ମାତ୍ରେ ମାଡ଼ି ବସୁଥିଲେ ରାଜ୍ୟ ବିଜେପି ନେତା। ଗର୍ଜନ କରୁଥିଲେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ। ଏବେ ସେମାନେ ଏହା ଉପରେ କି ସଫେଇ ଦେବେ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/modi-3.jpg)