୬୮ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଶୁୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଲା, ଜନ୍ମଦିନ ପାଳିବାକୁ ମୋଦି ଗଲେ ବାରାଣାସୀ

ନୂଆଦିଲ୍ଲୀ/ ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଆଜି ଦେଶ ଭିତରୁ ଓ ବାହାରୁ ଶୁୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ- ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ସେଲିବ୍ରିଟି, ଖେଳାଳି, ରାଜନେତାଙ୍କ ଠାରୁ ଆରମ୍ଭ କରି ସମାଜର ସବୁ ସ୍ତରର ଓ ସବୁ ବର୍ଗର ଲୋକଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଆସିଥିବା ବେଳେ ବହୁ ବିଦେଶୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।


ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆଜି ଅପରାହ୍ଣରେ ତାଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବାରାଣାସୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରୁର୍‌ ଗ୍ରାମରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ଏନ୍‌ଜିଓ) ପକ୍ଷରୁ ଚାଲିଥିବା ‘ରୁମ୍‌ ଟୁ ରିଡ୍‌’ ନାମକ ଏକ ପ୍ରଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ଜନ୍ମ ଦିନ ପାଳନ କରିବେ। ପରେ କାଶୀ ବିଦ୍ୟାପୀଠକୁ ଯାଇ ସେଠାରେ ଛାତ୍ରଛାତ୍ରୀମାନଙ୍କ ଭାବର ଆଦାନ ପ୍ରଦାନ କରିବା ସହ କାଶୀ ବିଶ୍ୱନାଥ ମନ୍ଦର ଯାଇ ଦର୍ଶନ କରିବେ। ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରେ ଅବସ୍ଥାନ କରିବା ସହ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଅନ୍ୟପକ୍ଷରେ ବିଜେପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ‘ସେବା ଦିବସ’ ରୂପେ ପାଳନ କରିବା ସହ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିରର ଆୟୋଜନ କରିଛି।

 

ସମ୍ବନ୍ଧିତ ଖବର