ନୂଆଦିଲ୍ଲୀ: ସୋମବାର ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତିକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଘାଷଣା କରିଛନ୍ତି କେନ୍ଦ୍ର ସରକାର। ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି । ଆଜି କେନ୍ଦ୍ର କ୍ୟାବିନେଟ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁର କରିଛି ।ଏହି ସଂରକ୍ଷଣ ବ୍ୟବସ୍ଥା ବର୍ଷକୁ ୮ ଲକ୍ଷରୁ କମ୍ ଟଙ୍କା ରୋଜଗାର କରୁଥିବା ସାଧାରଣ ବର୍ଗର ଉଚ୍ଚଜାତିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ହିଁ ଲାଗୁ ହେବ ବୋଲି ସୂଚନା ରହିଛି। ପ୍ରାଥମିକ ସୂଚନାରୁ ଜାଣିବାକୁ ମିଳିଛି ଯେ, ସୋମବାର ଅପରାହ୍ନ ୧ଟା ସମୟରେ ଡକା ଯାଇଥିବା ସ୍ବତନ୍ତ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏଥି ଲାଗି ସମ୍ବିଧାନର ଧାରା ୧୫ ଓ ୧୬ରେ ସଂଶୋଧନ ପାଇଁ ଆସନ୍ତା କାଲି ସଂସଦରେ ପ୍ରସ୍ତାବ ଆଣିବେ ସରକାର । ଏହାପରେ ସମସ୍ତ ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଅନେକ ଥର ଏସସି,ଏସଟି ଓ ପଛୁଆ ଜାତି ଲାଗି ସଂରକ୍ଷଣ ନେଇ ସାଧାରଣ ବର୍ଗର ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତାହାକୁ ବିଚାରକୁ .ନେଇ କିନ୍ତୁ ଆଜି ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ମାତ୍ର ଏହି ସଂରକ୍ଷଣ ଘୋଷଣା କରାଯିବା ପରେ ସଂରକ୍ଷଣ ହାର ୫୯.୫ ପ୍ରତିଶତରେ ପହଞ୍ଚିଛି ବୋଲି ଜାଣିବାକୁ ମିଳିିଛି।