ନରେନ୍ଦ୍ର ମୋଦୀ ନା ମନମୋହନ ସିଂହ; ୮ବର୍ଷ ଶାସନ କାଳରେ କିଏ ତିଆରି କରିଛି ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ?

ନୂଆଦିଲ୍ଲୀ: ଶିକ୍ଷା ଏବଂ ରୋଜଗାର ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଅନେକ ଥର ବିରୋଧୀ ଘେରିଛନ୍ତି। ଆରମ୍ଭରୁ ବିରୋଧୀ ମୋଦୀ ସରକାରଙ୍କ ଶିକ୍ଷା ନୀତି ଉପରେ ପ୍ରଶ୍ନ ଉଠାଉଥିବା ବେଳେ ମୋଦୀ ସରକାର କ୍ଷମତାରେ ଥ‌ାଇ ଅନେକ ନୂତନ ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଥିବା ଦାବି କରିଆସିଛନ୍ତି। କ୍ଷମତାରେ ଥିବା ସରକାର କରୁଥିବା ଦାବିର ସତ୍ୟତାକୁ ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ସରକାରଙ୍କଠାରୁ ସୂଚନା ମାଗି ଏକ ଆରଟିଆଇ ଦାଖଲ କରିଥିଲା। ଏବେ ଏହାର ଜବାବ ରଖିଛନ୍ତି ସରକାର। ନରେନ୍ଦ୍ର ମୋଦୀ ସରକାର ଏବଂ ମନମୋହନ ସିଂହ ସରକାର କ୍ଷମତାରେ ରହିବାର ୮ବର୍ଷ ମଧ୍ୟରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିଥିଲେ, ତାହା ଜଣାପଡ଼ିଛି।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୮ ବର୍ଷରେ ୧୫୯ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରାରମ୍ଭିକ ୮ ବର୍ଷରେ ୨୦୨ଟି ବିଦ୍ୟାଳୟ ନିର୍ମାଣ ହୋଇଥିଲା। ସବସିଡିଯୁକ୍ତ ଗୁଣାତ୍ମକ ଶିକ୍ଷା ଏବଂ ଉତ୍କୃଷ୍ଟ ଏକାଡେମିକ୍ ଟ୍ରାକ୍ ରେକର୍ଡ ପାଇଁ କେନ୍ଦ୍ରୀୟ ବିଦ୍ୟାଲୟ ସମଗ୍ର ଦେଶରେ ଜଣାଶୁଣା।

୨୦୧୪-୧୫ରୁ ୨୦୧୧-୧୨ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫୯ଟି ବିଦ୍ୟାଳୟ ନିର୍ମାଣ କରିଥିଲେ। ଏହାର ଅର୍ଥ ପ୍ରତିବର୍ଷ ହାରାହାରି ୨୦ଟି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ତୁଳନାତ୍ମକ ଭାବେ, ୨୦୦୪-୦୫ରୁ ୨୦୧୧-୧୨ମଧ୍ୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୦୨ଟି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏହାର ଅର୍ଥ ହେଉଛି ୟୁପିଏ ସରକାରଙ୍କ ଅଧୀନରେ ପ୍ରତିବର୍ଷ ୨୫ରୁ ଅଧିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର