ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ୬ ବର୍ଷ ପୂରିଲା, ଟ୍ବିଟ୍‌ର ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ସଫଳତା ଦେଖାଇଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଶନିବାର ୬ ବର୍ଷ ପୂରା କରିଛି। ୨୦୧୪ ମସିହାରେ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ଶାସନ କ୍ଷମତାକୁ ଆସିଥିଲା। ୨୦୧୪ ମସିହା ମେ ୧୬ ତାରିଖରେ ଏନଡିଏ ସରକାର କ୍ଷମତାକୁ ଆସିଥିଲା।

୨୦୧୪ ପରେ ୨୦୧୯ ମସିହାରେ ଦ୍ବିତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ବିଜୟୀ ହୋଇ କ୍ଷମତାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀଙ୍କ ଦିତ୍ବୀୟ ଶାସନକାଳକୁ ୧ ବର୍ଷ ପୂର୍ତ୍ତି ଅର୍ଥାତ ସମୁଦାୟ ଶାସନକାଳକୁ ୬ ବର୍ଷ ପୂର୍ତ୍ତି ହୋଇଥିବା ନେଇ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଖୁସି ମନାଇଛି ଭାରତୀୟ ଜନତା ପାର୍ଟି(ବିଜେପି)।

ଟ୍ବିଟର୍‌ରେ ବିଜେପି ଏକ ଭିଡିଓ ପୋଷ୍ଟ୍‌ କରିଛି। ଭିଡିଓରେ ମୋଦୀଙ୍କ ଶକ୍ତିଶାଳୀ ନେତୃତ୍ବ ଓ ଗତ କିଛି ବର୍ଷ ମଧ୍ୟରେ ମୋଦୀ ଆଣିଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି।

ସ୍ବଚ୍ଛ ଭାରତ ଅଭିଯାନରୁ ନେଇ ଗ୍ରାମାଞ୍ଚଳରେ ବିଦ୍ୟୁତୀକରଣ, ବେଟୀ ପଢ଼ାଓ ବେଟୀ ବଚାଓ କାର୍ଯ୍ୟକ୍ରମ, ଜନ୍‌ଧନ ଯୋଜନା, ଧାରା ୩୭୦ର ଉଚ୍ଛେଦ ଆଦି ବିଷୟକୁ ଭିଡିଓରେ ଉପସ୍ଥାପନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ବିଜେପି ସମୁଦାୟ ୫୪୩ ଆସନରୁ ୨୮୨ଟି ଆସନ ହାତେଇ ବିଜୟୀ ହୋଇଥିଲା। ମେ ୨୬ ତାରିଖରେ ନରେନ୍ଦ୍ର ମ‌ୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ କରି ଶପଥ ନେଇଥିଲେ। ସେହିପରି ୨୦୧୯ ମସିହାରେ ବିଜେପି ୩୦୩ ଆସନ ହାତେଇ ବିପୁଳ‌ ବିଜୟ ହାସଲ କରିବା ପରେ ଦ୍ବିତୀୟ ଥର ପାଇଁ ଦେଶ ଦାୟିତ୍ବ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧିତ ଖବର