‘ମୁଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ,’ ବୋଲି ରାହୁଲ କହିବା ପରେ ଜୋର ଧରିଲା ରାଜନୀତି; ମୋଦି କହିଲେ, ‘ଏହା ତାଙ୍କ ତାଙ୍କ ଔଦ୍ଧତ୍ୟର ପରିଚୟ’
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ କାଳରେ ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ‘ମୁଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ’ ବୋଲି କହିବା ପରେ, ଏହାକୁ କେନ୍ଦ୍ର କରି ଆଜି ରାଜନୀତି ଜୋର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କର ଏପ୍ରକାର ବିବୃତି ଓ ବୟାନ ତାଙ୍କ ଔଦ୍ଧତ୍ୟ, ଅହଂକାରର ପ୍ରତିଫଳନ’ ବୋଲି ଆଜି କର୍ଣ୍ଣାଟକର କୋଲାର ଠାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛି! ନିଜକୁ ଏପରି ଭାବେ ପ୍ରଧାନମନ୍ତ୍ରୀ ରୂପେ ଘୋଷଣା କରିବା ହିଁ ତାଙ୍କ ଔଦ୍ଧତ୍ୟ, ଗର୍ବ ଓ ଅହଂକାର ପରିଚୟ ଦେଉଛି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ, କଂଗ୍ରେସ ଅଧ୍ୟକ୍ଷଙ୍କୁ ଏପ୍ରକାରର ଆକ୍ଷେପର ଜବାବ ରଖିବାକୁ କଂଗ୍ରେସ ମଧ୍ୟ ପଛଘୁଞ୍ଚା ଦେଇନାହିଁ। ‘କଣ ପ୍ରଧାନମନ୍ତ୍ରୀ ହେବାକୁ କେବଳ ମାତ୍ର ନରେନ୍ଦ୍ର ମୋଦିଙ୍କର ଅଧିକାର ରହିଛି? କ’ଣ ପ୍ରଧାନମନ୍ତ୍ରୀ ହେବାର ଠିକା କେବଳ ନରେନ୍ଦ୍ର ମୋଦି ନେଇଛନ୍ତି?’ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରବକ୍ତା ତଥା ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା।
ମଙ୍ଗଳବାର ଦିନ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଥିଲେ ଯେ ଯଦି ଦେଶର ଜନତା ନିର୍ବାଚନରେ କଂଗ୍ରେସ ଦଳକୁ ଭୋଟ ଦିଅନ୍ତି ଓ କଂଗ୍ରେସ ଦଳ ଯଦି ସଂଖ୍ୟାଗରିଷ୍ଠ ଦଳ ଭାବେ ଜନତାଙ୍କ ସ୍ୱୀକୃତି ଲାଭ କରେ ତେବେ, ଦଳର ନେତା ଭାବେ ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିବା ବେଳେ ଏହାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏତେ ପ୍ରତିକ୍ରିୟାଶୀଳ ହେବାର କ’ଣ କାରଣ ରହିଛି ବୋଲି କଂଗ୍ରେସ ପ୍ରବକ୍ତା ଶର୍ମା ପ୍ରଶ୍ନ କରିଛନ୍ତି।