ଗୁଗଲ୍ ମ୍ୟାପ୍ରେ ୨୦୨୩ର ବିଶ୍ବସ୍ତରୀୟ ଶ୍ରେଷ୍ଠ ଅନ୍ବେଷଣ ତାଲିକାରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍ ସ୍ଥାନ ପାଇଛି। ଭାରତରେ ଏହି ଷ୍ଟାଡିଅମ୍ ନେଇ ଉତ୍ସୁକତା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସାରା ବିଶ୍ବରେ ଏହା ଷଷ୍ଠ ସ୍ଥାନରେ ରହିଛି। ଅନ୍ୟ ଉଲ୍ଲେଖନୀୟ ଷ୍ଟାଡିଅମ୍ଗୁଡ଼ିକ ମଧ୍ୟରେ ବାର୍ସେଲୋନା ସ୍ଥିତ ସ୍ପୋଟିଫାଏ କ୍ୟାମ୍ପ ନୋଉ ପ୍ରଥମ, ମାଦ୍ରିଦ୍ ସ୍ଥିତ ସାଣ୍ଟିଆଗୋ ବର୍ଣ୍ଣାବେଉ ଷ୍ଟାଡିଅମ୍ ଦ୍ବିତୀୟ, ଲଣ୍ଡନ ସ୍ଥିତ ୱେମ୍ବଲି ଷ୍ଟାଡିଅମ୍ ତୃତୀୟ, ଟୋକିଓ ଡୋମ୍ ଚତୁର୍ଥ ଓ ଇଟାଲିର ସାନ୍ ସିରୋ ଷ୍ଟାଡିଅମ୍ ପଞ୍ଚମ ସ୍ଥାନରେ ରହିଛି। ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍ ପଛକୁ ସପ୍ତମ ସ୍ଥାନରେ ନ୍ୟୁୟର୍କ ସ୍ଥିତ ମୋଡିସନ ସ୍କୋୟାର ଗାର୍ଡନ୍, ଅଷ୍ଟମରେ ଲଣ୍ଡନ ସ୍ଥିତ ଟୋଟେନହାମ୍ ହଟ୍ସପୁର ଷ୍ଟାଡିଅମ୍, ତାହା ପଛକୁ ଷ୍ଟେଡ୍ ଡି ଫ୍ରାନ୍ସ ଓ ଦଶମରେ ଲଣ୍ଡନ ସ୍ଥିତ ଏମିରେଟ୍ସ ଷ୍ଟାଡିଅମ୍ ରହିଛି।
ଉଲ୍ଲେଖଯୋଗ୍ୟ, ୧୯୮୨ରୁ ୨୦୧୫ ଯାଏ ଉକ୍ତ ଷ୍ଟାଡିଅମ୍ର ନାମ ଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିଅମ୍। ୨୦୧୫ରେ ଏହାର ନବୀକରଣ କରାଯାଇଥିଲା। ଅଷ୍ଟ୍ରେଲିଆର ଡିଜାଇନ କମ୍ପାନି ‘ପପୁଲସ୍’ ଏହାର ରୂପରେଖ ପ୍ରସ୍ତୁତ କରିଥିବା ବେଳେ ଲାର୍ସନ ଆଣ୍ଡ୍ ଟୁବ୍ରୋ କମ୍ପାନି ଏହାର ନିର୍ମାଣ ଦାୟିତ୍ବ ନେଇଥିଲା। ଏହାର ନିର୍ମାଣ ସଂପୂର୍ଣ୍ଣ ହେବାକୁ ଦୀର୍ଘ ୫ ବର୍ଷ ଲାଗିଥିବା ବେଳେ ଏଥିରେ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏହାକୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିଅମ୍’ ନାମରେ ନାମିତ କରାଯାଇଥିଲା। ଏଠାରେ ୧,୩୨,୦୦୦ ଜଣ ଦର୍ଶକ ବସିବାର ସୁବିଧା ଅଛି। ଏହା ବିଶ୍ବର ବୃହତ୍ତମ କ୍ରିକେଟ୍ ଷ୍ଟାଡିଅମ୍ର ମାନ୍ୟତା ବହନ କରୁଛି। ଚଳିତବର୍ଷ ଉକ୍ତ ଷ୍ଟାଡିଅମ୍ ଦିନିକିଆ କ୍ରିକେଟ୍ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରି ବିଶ୍ବ କ୍ରୀଡ଼ା ଇତିହାସରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍କୁ ଲକ୍ଷାଧିକ ଦର୍ଶକ ଦେଖିଥିଲେ।