ନୂଆଦିଲ୍ଲୀ: ଦେଶର ଯୁବକମାନେ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଠେଙ୍ଗାରେ ପିଟିବେ ବୋଲି ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାରେ କହିଥିବାରୁ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏ ନେଇ ରାହୁଲଙ୍କୁ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଏଭଳି ଆକ୍ରମଣ ସହ୍ୟ କରିବା ପାଇଁ ‘ସୂର୍ଯ୍ୟ ନମସ୍କାର’ ସଂଖ୍ୟା ବଢ଼ାଇ ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ସମୟରେ ପ୍ରଧାନମନ୍ତ୍ରୀ ଏହା କହିବା ବେଳେ ରାହୁଲ କିଛି କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପାଟିତୁଣ୍ଡ ଯୋଗୁଁ ତାହା ଶୁଣାଯାଇନଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ପ୍ରାୟ ୪୦ ମିନିଟ ଧରି କହିଚାଲିଛି, କିନ୍ତୁ ସେଠାରେ (ରାହୁଲଙ୍କ ପାଖରେ) ଏବେ ଯାଇଁ କରେଣ୍ଟ୍‌ ପହଞ୍ଚିଲା। କିଛି ଟ୍ୟୁବ୍‌ଲାଇଟ୍‌ ଏଭଳି ହିଁ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘ମତେ ଠେଙ୍ଗାରେ ପିଟିବା ପାଇଁ ୬ ମାସ ଆଗରୁ ଘୋଷଣା କରାଯାଇଛି, ତେବେ ଏଭଳି ଆକ୍ରମଣର ମୁକାବିଲା ପାଇଁ ମଧ୍ୟ ୬ ମାସ ସମୟ ଆବଶ୍ୟକ’ ବୋଲି ପ୍ରଧାନମନ୍ତ୍ରୀ ବ୍ୟଙ୍ଗୋକ୍ତି କରିଥିଲେ।